ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ପରଲୋକ। ଗୌହାଟୀରେ ଅଜୟ ପରିଡ଼ାଙ୍କ ଦେହାନ୍ତ ହୋଇଥିବା ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ। ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।ସୂଚନା ଥାଉକି, କରୋନା ମହାମାରୀ ସମୟରେ ରାଜ୍ୟରେ କୋଭିଡ୍ ମୁକାବିଲାରେ ଡା. ଅଜୟ ପରିଡ଼ାରଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା।
ଡକ୍ଟର ଅଜୟ ପରିଡ଼ା ଯାଜପୁର ଜିଲ୍ଲାର ଭଗବାନପୁରରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୯ରୁ ୨୦୧୭ ଯାଏ ଏମଏସ ସ୍ବାମୀନାଥନ୍ ଇନଷ୍ଟିଟ୍ୟୁଟର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ଜୀବବିଜ୍ଞାନୀ ଭାବେ ଡକ୍ଟର ଅଜୟ ପରିଡ଼ାଙ୍କର କୃଷି, ଉଦ୍ଭିଦ ମଲିକୁଲାର ବାୟୋଲୋଜି ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଯଥେଷ୍ଟ ସୁନାମ ଥିଲା। ୨୦୧୪ ମସିହାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବିଭାଗରେ ଉତ୍କର୍ଷତା ପ୍ରତିପାଦନ କରିଥିବାରୁ ଡକ୍ଟର ଅଜୟ ପରିଡ଼ା ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ।