ଆଜି ପବିତ୍ର ଶାମ୍ବ ଦଶମୀ

ଆଜି ପବିତ୍ର ଶାମ୍ବ ଦଶମୀ

ମେଟ୍ରୋ ଟିଭି ଓଡିଶା,୧୨/୧: ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ଶାମ୍ବ ପର୍ବ । ଏହି ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ଘରର ମହିଳାମାନେ ଏହି ପୂଜା କରିଥାନ୍ତି । ଏହି ପର୍ବର ମୁଖ୍ୟ ହେଉଛି ଘାଣ୍ଟ ତରକାରୀ ବା ଘଡାଘଡା ତିଅଣ । ପ୍ରଥମେ ବଡି ଭୋରୁ ସୂର୍ଯ୍ୟଙ୍କୁ ପ୍ରଥମ ଧୂପ ଅର୍ପଣ କରନ୍ତି। ଏହାପରେ ବିଭିନ୍ନ ପ୍ରକାରର ପିଠା(ଅଟ୍ଟକାଳି, ଗଇଁଠା, କାକରା, ମଣ୍ଡା, ଛଣା ପିଠା) ଫଳମୂଳ, ସାକର, ଘଣ୍ଟା ତରକାରୀ, ଗଜା ମାଲପୁଆ, ରସଗୋଲା, ଖେଚୁଡି ସହ ପିଠା ପଣା ଆଦି ତିଆରି ହୋଇଥାଏ । ଧୂପ ଦୀପରେ ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି । ଛୁଆଙ୍କ ମଙ୍ଗଳ ମନାସି ମାଆମାନେ ଯାହା ଯାଚିଥାନ୍ତି ସେହିସବୁ ତିଆରି କରି ପୂଜା କରିଥାନ୍ତି ।


କିମ୍ବଦନ୍ତୀ ଅନୁଯାୟୀ କୃଷ୍ଣଙ୍କ ପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ। ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟଦେବ ଶାମ୍ବଙ୍କୁ ଆଦିତ୍ୟ ନାରାୟଣଙ୍କର ଏକ କନକ ପ୍ରତିମା ପ୍ରଦାନ କରି, ଅର୍କକ୍ଷେତ୍ରରେ ତାହାର ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ। ସେହି ସ୍ମୃତିରେ ଆଜି ମଧ୍ୟ ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ । ଏହି ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଥାଏ ।