ବୁମ୍ରା ବିଶ୍ବର ୧ନଂ ଦିନିକିଆ ବୋଲର । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ବୁମ୍ରା ବିଶ୍ବର ୧ ନମ୍ବର ଦିନିକିଆ ବୋଲରର ମାନ୍ୟତା ପାଇଛନ୍ତି। ଆଇସିସି ପକ୍ଷରୁ ଦିନିକିଆ ବୋଲିଂ ମାନ୍ୟତାରେ ଯଶପ୍ରିତ ବୁମ୍ରା ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁମରା ମଙ୍ଗଳବାର ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ୧ ୯ରନ ଦେଇ ୬ଟି ୱିକେଟ ନେଇଥିଲେ। ଏହା ବୁମ୍ରାଙ୍କ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।
ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଭାରତ ଉକ୍ତ ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଥିଲା। ଏହି ସଫଳତା ପରେ ବୁମ୍ରା ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ବୁମ୍ରା ୨୦୧୮ ଫେବୃଆରୀରୁ ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ୭୩୦ ଦିନ ଧରି ୧ ନମ୍ବର ଦିନିକିଆ ବୋଲର ଭାବେ ରହିଥିଲେ।