ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ନଅଦିନ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ ରତ୍ନବେଦୀକୁ ବାହୁଡ଼ିବେ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତାରଣ୍ୟ ହୋଇଛି ଶରଧାବାଲି । ଦେଶ ବିଦେଶର ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ବନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଛି । ଭୋର୍ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ସୂଚନା ରହିଛି । ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଶ୍ରୀକ୍ଷେତ୍ରରେ ସକାଳୁ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ସୁରକ୍ଷା ଦାୟିତ୍ୱରେ ୧୫୦ ପ୍ଳାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି । ଭୋର ୪ଟାରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଗୋପାଳ ବଲ୍ଲଭ, ସକାଳ ଧୂପ ଖେଚୁଡି ଭୋଗ ନୀତି ପରେ ସେନାପଟା ଲାଗି, ମଙ୍ଗଳାର୍ପଣ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପହଣ୍ଡି ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ । ପହଣ୍ଡି ଶେଷ ହେବା ପରେ ବେଶ ଶେଷ ହୋଇ ଗଜପତି ମହାରାଜା ଛେରାପହଁରା ରଥ ଉପରେ ସମ୍ପାଦନ କରିବେ । ଏହା ପରେ ରଥ ଚାରମାଳ ଫିଟି ଅପରାହ୍ନ ଚାରିଟାରେ ଘୋଡ଼ା ଲାଗି ରଥଟଣା ଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି ।