ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଗ୍ୟାସ ଦର ବଢ଼ିଲେ ଆଉ ସମସ୍ୟା ନାହଁ । ବଜାରକୁ ଆସୁଛି ଏମିିତି ସୈାର ଚୁଲା ଯାହା ଦ୍ବାରା ମେଘୁଆ ପାଗ ହେଉ କି ରାତି , ସବୁ ସମୟରେ ଆପଣ ରୋଷେଇ କରିପାରିବେ । ଚା ତିଆରି କରିପାରିବେ ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏହି ସୌର ଚୁଲା ପ୍ରସ୍ତୁତ କରି ଏବେ ବଜାରକୁ ଛାଡିଛି । ଏହି ଚୁଲା ସୌର ଶକ୍ତିରେ ଚାଲିବ ଏବଂ ଘର ଭିତରେ ରଖି ଏହାକୁ ବ୍ୟବହାର କରିହେବ । ସବୁଠୁ ବଡ଼ କଥା ହେଲା ଏହି ଚୁଲା ପାଇଁ କୌଣସି ବିଜୁଳି ବା ଇନ୍ଧନର ଆବଶ୍ୟକତା ପଡିବନି । ଏହାର ନାଁ ଦିଆଯାଇଛି ‘ସୂର୍ଯ୍ୟ ନୂତନ’ ।
ଏହି ଚୁଲାକୁ କିଣିବା ପାଇଁ ପ୍ରାୟ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଆଉ ଏହି ଚୁଲାକୁ ଥରେ ଆପଣ ଘରକୁ କିଣି ଆଣିଲେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଚୁଲା ସୌର କୁକରଠୁ ଅଲଗା କାରଣ ଏହାକୁ ଖରାରେ ରଖିବା ଦରକାର ପଡିବନି । ଛାତ ଉପରେ ଲାଗିଥିବା ସୌର ପ୍ୟାନେଲ୍ ମାଧ୍ୟମରେ ମଧ୍ୟ ଏହା ଚାଲିପାରିବ ।
ଏହି ଚୁଲାରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ପରିବାର ପାଇଁ ୩ ଟାଇମ୍ ରୋଷେଇ ଅତି ସହଜରେ କରିହେବ । ଏହାକୁ କେବଳ ଥରେ ଚାର୍ଜ କରିବାକୁ ହେବ ଏବଂ ରୋଷେଇ କରିହେବ । ସୂର୍ଯ୍ୟ ନୂତନକୁ ଏକ ତାରରେ କନେକ୍ଟ କରିବାକୁ ହେବ ଯାହା ବାହାରେ କିମ୍ବା ଛାତ ଉପରେ ଲାଗିଥିବା ସୋଲାର ପ୍ଲେଟ୍ ସହ ଯୋଡିହୋଇଥିବ ।