ରୁଷିଆକୁ ମହଙ୍ଗା ପଡ଼ିବ ୟୁକ୍ରେନ୍‌ ଆକ୍ରମଣ

ମେଟ୍ରୋ ଟିଭି ଓଡିଶା (୨୭.୬.୨୦୨୨)

ରୁଷିଆକୁ ମହଙ୍ଗା ପଡ଼ିବ ୟୁକ୍ରେନ୍‌ ଆକ୍ରମଣ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାବେଳେ ଆଗକୁ ସେଠାରୁ ସୁନା ଆମଦାନୀ ମଧ୍ୟ ବନ୍ଦ କରାଯିବ ବୋଲି ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଜର୍ମାନୀର ଏଲ୍‌ମଉ ସହରରେ ମଙ୍ଗଳବାର ହେବାକୁ ଥିବା ଜି ୭ର ବାର୍ଷିକ ସମ୍ମିଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ। କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଆନ୍ତଃ ସରକାରୀ ରାଜନୈତିକ ମଞ୍ଚ ଜି ୭ ରୁଷିଆରୁ ସୁନା ଆମଦାନୀ ଉପରେ କଟକଣା ଜାରି କରାଗଲେ ମସ୍କୋର ଆର୍ଥିକ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା କରାଯାଉଛି। ଏହାବାଦ୍‌ ୟୁକ୍ରେନ୍‌ ଆକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଓ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଏହି ସମ୍ମିଳନୀରେ ରଣନୀତି ପ୍ରସ୍ତୁତ କରାଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ ଜି ୭ ନେତାମାନଙ୍କ ସହ ଆଲୋଚନା କରିଛନ୍ତି।

ବାଇଡେନ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆ ସର୍ବାଧିକ ଶକ୍ତି ରପ୍ତାନି କରିଥାଏ। ଏହା ପରେ ସୁନା ରପ୍ତାନି କରି ଅଧିକ ଅର୍ଥ ପାଇଥାଏ। ସୁନା ରପ୍ତାନି ଉପରେ କଟକଣା ଜାରି କଲେ ବିଶ୍ୱ ବଜାରରେ ମସ୍କୋର ଯୋଗଦାନ କାଠିକର ହୋଇଯିବ। ସୁନା ବିକ୍ରି କରି ରୁଷିଆ ବିପୁଳ ଅର୍ଥ ଠୁଳ କରୁଥିବା ବାଇଡେନ୍‌ଙ୍କ ଟୁଇଟର ଫିଡ୍‌ ପକ୍ଷରୁ କୁହାଯାଇଛି। ହ୍ବାଇଟ୍‌ ହାଉସ୍‌ କହିଛି, ୨୦୨୦ରେ ରୁଷିଆ ସୁନା ରପ୍ତାନିରୁ ୧୯ ବିଲିୟନ୍‌ ଡଲାର ଠୁଳ କରିଥିଲା। ଏହାର ମୋଟ ସୁନା ରପ୍ତାନିର ୯୦% ଜି ୭ ରାଷ୍ଟ୍ରଗୁଡ଼ିକ ଆମଦାନୀ କରିଥାଆନ୍ତି। ଏସବୁକୁ ଧ୍ୟାନରେ ରଖି ବାଇଡେନ୍‌ କହିଛନ୍ତି, ରୁଷିଆକୁ ଏକଘରିକିଆ କରିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ମସ୍କୋ ଉପରେ ଚାପ ପ୍ରୟୋଗ ୟୁକ୍ରେନ୍‌ଠାରୁ ଏହାକୁ ଦୂରେଇ ରଖିବା ପାଇଁ ଏକ ବଡ଼ ଅସ୍ତ୍ର।