ବରଗଡ଼ର ବଡ଼ଡୋଲ ସିମେଣ୍ଟନଗରସ୍ଥିତ ACC ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ ବନ୍ଦ ହେବ
ବରଗଡ଼ ସହର ଉପକଣ୍ଠ ବଡ଼ଡୋଲ ସିମେଣ୍ଟନଗର ସ୍ଥିତ ଏସିସି ସିମେଣ୍ଟ କାରଖାନା ବନ୍ଦ ହେବ। ଏ ନେଇ କମ୍ପାନି କେନ୍ଦ୍ର ସରକାରଙ୍କୁ ଆଇନ୍ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିଛି। ଆସନ୍ତା ଅଗଷ୍ଟ ୧୯ ତାରିଖରୁ କାରଖାନା ବନ୍ଦ କରାଯିବା ସଂପର୍କରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ କମ୍ପାନି କର୍ତ୍ତୃପକ୍ଷ ଲିଖିତ ଆକାରରେ ଅବଗତ କରାଇଛନ୍ତି।
ଅଗଷ୍ଟ ୧୯ରୁ କାରଖାନାରୁ ସିମେଣ୍ଟ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେହିପରି ଉତ୍ପାଦନ ପ୍ଲାଣ୍ଟ୍ରେ କାର୍ଯ୍ୟ କରୁଥିବା ୯୨ ଜଣ ଶ୍ରମିକ ଓ କର୍ମଚାରୀଙ୍କୁ ଚାକିରିରୁ ନିୟମ ଅନୁଯାୟୀ ଛଟେଇ କରାଯିବ ବୋଲି କୁହାଯାଇଛି। କାରଖାନା ବନ୍ଦ କରିବା ପଛର କାରଣ ସମ୍ପର୍କରେ କମ୍ପାନି ତରଫରୁ କୁହାଯାଇଛି ଯେ, ପ୍ଲାଣ୍ଟ୍ଟି ୧୯୬୮ରେ ପ୍ରତିଷ୍ଠା ହୋଇଥିଲା। ଏଣୁ ଏହି ପ୍ଲାଣ୍ଟ୍ ବହୁ ପୁରୁଣା ହୋଇ ସାରିଥିବା ବେଳେ ଠିକ୍ ଭାବେ କାର୍ଯ୍ୟ କରୁ ନାହିଁ। ସେହିପରି ଚୂନପଥରର ଅଭାବ ଓ କ୍ଲିଙ୍କର୍ ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବାରୁ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଉଲ୍ଲେଖ ରହିଛି।
କମ୍ପାନିର ଏହି ନିଷ୍ପତ୍ତି ପରେ ଏବେ ବହୁ ଶ୍ରମିକ ରୋଜଗାର ହରାଇବେ। ସିମେଣ୍ଟ୍ ଫ୍ୟାକ୍ଟ୍ରିରେ ବିଭିନ୍ନ ୟୁନିଟ୍ରେ କାମ ମିଳୁ ନଥିବାରୁ ଠିକା ଶ୍ରମିକମାନେ ଗତ କିଛିଦିନ ତଳେ ଜିଲ୍ଲାପାଳଙ୍କ ଅଫିସ୍କୁ ଗୁହାରି କରିବା ପାଇଁ ଆସିଥିଲେ। ସେଠାରେ ପ୍ରାୟ ୭ଶହ ଠିକା ଶ୍ରମିକ କାମ କରୁଥିବା ବେଳେ ତାଙ୍କୁ ଆଉ କାମ ଦିଆଯିବ ନାହିଁ ବୋଲି କମ୍ପାନି ତରଫରୁ କୁହାଯାଇଥିଲା। ହଠାତ୍ ଏଭଳି ଛଟେଇର ପ୍ରତିବାଦରେ ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଆସିଥିଲେ। ପୂର୍ବରୁ ଡୁଙ୍ଗୁରିରେ ଥିବା ଚୂନ ପଥର ଖଣି ବନ୍ଦ ହୋଇ ସାରିଛି। ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ୟୁନିଟ୍ ବନ୍ଦ କରାଯାଉଛି। ଏଣୁ ସିମେଣ୍ଟ୍ ଉତ୍ପାଦନ ଓ ପ୍ୟାକିଂ ବନ୍ଦ ହେବା ପରେ କମ୍ପାନି ତରଫରୁ ସେଠାରେ ଅନ୍ୟ କିଛି ପ୍ଲାଣ୍ଟ୍ କରାଯିବ ବୋଲି ଶୁଣିବାକୁ ମିଳୁଛି।