ଲିଭର ଖରାପ ହେବାର ଲକ୍ଷଣ
ଲିଭର ଆମ ଶରୀର ଏକ ଜଟିଳ ଅଙ୍ଗ , ଯାହା ଆମ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା କେବଳ ଖାଦ୍ୟର ପାଚକ କ୍ରିୟା କରେନି ବରଂ ଶରୀରୁ ବି ଅନୁପଯୋଗୀ ପଦାର୍ଥକୁ ନିଷ୍କାସନ କରିବାରେ , ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ , ପ୍ରୋଟିନ୍ ଓ ଶକ୍ତି ସଂରକ୍ଷଣ, ହର୍ମୋନ ସନ୍ତୁଳନ କରିବାରେ ମଧ୍ୟ ମୁଖ୍ୟ କାର୍ଯ୍ୟ କରେ । ଏହାର ରକ୍ତରୁ ହାନିକାରକ ପାଦାର୍ଥକୁ ଫିଲ୍ଟର କରିଥାଏ ।
ଯେବେ କୌଣସି କାରଣୁ ଲିଭର ପ୍ରଭାବିତ ହୁଏ ଯେପରିକି ଫ୍ୟାଟି ଲିଭର, ହେପାଟାଇଟିଜ୍ ଭଳି ସମସ୍ୟା ହୁଏ ତାହେଲେ ଲିଭର ଠିକ ଭାବେ କାମ କରେନି । ଫଳରେ ଶରୀରରେ ଆରମ୍ଭରୁ ହିଁ କିଛି ଲକ୍ଷ୍ୟଣ ଦେଖାଯାଏ । ଲିଭର ଖରାପ ହେବାର ଲକ୍ଷଣ କେବେ କେବେ ହାତରେ , ପାଦରେ ଏପରିକି ତ୍ବଚାରେ ମଧ୍ୟ ଦେଖାଯାଏ । ଥକ୍କା ଲାଗିବା, ଦେହ ଅବଶ ହୋଇଯିବା ଭୋକ ନଲାଗିବା, ପେଟ ଦରଜ ହେବା, ଏସବୁ ଲିଭର ଖରାପ ହେବାର ଲକ୍ଷଣ ।
ଲିଭର ର ଖରାପ ହେବାର ଲକ୍ଷଣ ଆପଣଙ୍କ ହାତରେ ବି ଦେଖାଯାଏ । ଯେପରି :
ପାପୁଲି ଲାଲ୍ ଦେଖାଯିବା : ଲିଭର ଖରାପ ଥିଲେ ପାପୁଲିର ଆଙ୍ଗୁଠି ତଳ ଭାଗରେ ଲାଲ ରଙ୍ଗ ଭଳି ଦେଖାଯାଏ । ଲିଭର ଖରାପ ହେଲେ ଏଷ୍ଟ୍ରୋଜନ୍ ହର୍ମୋନ୍ ସ୍ତର ବଢ଼ିଯାଏ ଫଳରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ ।
ଆଙ୍ଗୁଠିର ଆକାରରେ ପରିବର୍ତ୍ତନ : ଲିଭର ପ୍ରଭାବିତ ହୋଇଥିଲେ ଆଙ୍ଗୁଠିର କିଛି ଅଂଶ ଫୁଲେ । ଆଙ୍ଗୁଠି ବଙ୍କା ହେଲା ଭଳି ଦେଖାଯାଏ । ଏହା ଲିଭର ସିରୋସିସର ଲକ୍ଷଣ ।
ନଖ ଧଳା ପଡ଼ିଯିବା : ଯେବେ ନଖର ଉପର ଭାଗ ଧଳା ହେବା ସହ ତଳ ଭାଗ ପିଙ୍କ୍ ଦେଖାଯାଏ ଏହା ମଧ୍ୟ ଲିଭର ସିରୋସିସର ଲକ୍ଷଣ ବୋଲି ମନେରଖିବାକୁ ପଡ଼ିବ । ଡାଏବେଟିସ୍ ବା ହାର୍ଟ ସମସ୍ୟା ଥିଲେ ବି ନଖରେ ଏଭଳି ଲକ୍ଷଣ ଦେଖାଯାଏ ।
ପାପୁଲି କୁଣ୍ଡେଇହେବା ସହ ହାତ ଥରିବା : ଲିଭରରେ କୌଣସି ସଂକ୍ରମଣ ଥିଲେ ବା ସମସ୍ୟା ଥିଲେ ହାତ ଅନେକ ସମୟରେ ଅନିୟନ୍ତ୍ରିତ ହେବା ଭଳି ଲାଗେ । ଏହାସହ ପାପୁଲି କୁଣ୍ଡାଇହୁଏ ।ଏମିତି କିଛି ଲକ୍ଷଣ ଦେଖନ୍ତି ତାହେଲେ କାଳ ବିଳମ୍ବ ନକରି ତୁରନ୍ତି ଡାକ୍ତରଙ୍କ ପରାମର୍ଶ କରନ୍ତୁ । କାରଣ ଏସବୁ ଲକ୍ଷଣ ଆପଣଙ୍କ ଲିଭର ଡ୍ୟାମେଜର ପ୍ରାରମ୍ଭିକ ସଙ୍କେତ । ଆରମ୍ଭରୁ ଡାକ୍ତରଙ୍କ ପରାମର୍ଶ ଆପଣଙ୍କ ବଡ଼ ବିପତ୍ତିରୁ ରକ୍ଷା କରିଦେଇପାରେ ।