ପୁଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହା ଉପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୌଣସି ପରିସ୍ଥିତିରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେବା ସହିତ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ଼ୁଅର (ଏସ୍ଓପି) ବା ମାର୍ଗଦର୍ଶିକା ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ୨୦୨୪ ଜୁନରୁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତିଭିତ୍ତିକ ପରୀକ୍ଷା ସଂକ୍ରାନ୍ତ ଅନିୟମିତତା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ମାଗିଛନ୍ତି। ଏହା ସହିତ ପୂର୍ବ ସରକାର ଅମଳରୁ କ୍ରମାଗତ ଭାବେ ଚାଲିଥିବା ପରୀକ୍ଷା ଦୁର୍ନୀତି ଉପରୁ ପରଦା ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏସ୍ଆଇ ପରୀକ୍ଷା ବାତିଲ ହେବା ପରେ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ, ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା, ଦାୟିତ୍ୱ ହସ୍ତାନ୍ତରିତ ହୋଇଥିବା ଆଉଟ୍ସୋର୍ସିଂ ସଂସ୍ଥା ଏବେ ସନ୍ଦେହ ଘେରରେ ଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଚାଲିଛି। ଓଡ଼ିଶାରେ ୨୦୨୧ରୁ କାୟାବିସ୍ତାର କରିଥିବା ଏକ ସଂସ୍ଥା ଏକାଧିକ ପରୀକ୍ଷା ଦାୟିତ୍ୱ ନେଇଥିବାବେଳେ ଏଥିରୁ ଅନେକ ଅନିୟମିତତା କାରଣରୁ ବାତିଲ ହୋଇଥିଲା, ସେସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏହା ଛଡ଼ା ପରୀକ୍ଷା ଅନିୟମିତତା କାରବାରରେ ଲିପ୍ତ ଥିବା କିଛି ପ୍ରଭାବଶାଳୀଙ୍କ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଘଟଣା ସହିତ ଜଡ଼ିତ ୧୧୯ ଜଣଙ୍କ ଗିରଫ ପରେ ଏଥିରେ ସଂପୃକ୍ତ କିଛି ପ୍ରଭାବଶାଳୀଙ୍କୁ ଖୋଜା ଚାଲିଛି।