ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ଶୈଳପୁତ୍ରୀ ରୂପରେ ।
ଶୈଳପୁତ୍ରୀ ବା ଗିରିରାଜ ହିମାଳୟଙ୍କର କନ୍ୟା ହେଉଛନ୍ତି ମା’ ପାର୍ବତୀ । ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ମା’ ସତୀଙ୍କର ଆତ୍ମାହୁତି ପରେ ପୁଣିଥରେ ଜନ୍ମ ନିଅନ୍ତି ହିମାଳୟ କନ୍ୟା ଭାବରେ ଓ କଠୋର ତପ ପରେ ଶ୍ରୀ ଶିବଙ୍କୁ ପୂନର୍ବାର ପତି ରୂପେ ପାଆନ୍ତି । ଶୈଳପୁତ୍ରୀ ଭାବେ ମା’ ପାର୍ବତୀଙ୍କୁ ହିଁ ଉପାସନା କରାଯାଏ । ସେ ଦ୍ୱି ଭୂଜା ଗୋଟିଏ ହସ୍ତରେ ତ୍ରିଶୂଳ ଓ ଅନ୍ୟହସ୍ତରେ ପଦ୍ମ ଧରିଥାନ୍ତି , ବୃଷବାହନା ଓ ସର୍ବଦା ପ୍ରସନ୍ନ ଚିତ୍ତା । ସେ ହେଉଛନ୍ତି ତ୍ରିଦେବ ବ୍ରହ୍ମା-ବିଷ୍ଣ ଓ ମହେଶଙ୍କ ମୂଳ ଶକ୍ତି ସ୍ୱରୂପା । ମା ଶୈଳପୁତ୍ରୀ ସାଧକର ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ମନୋସ୍କାମନା ପୂରଣ କରନ୍ତି । ଯୋଗ ଦୃଷ୍ଟିକୋଣରୁ ନବରାତ୍ରର ପ୍ରଥମ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରଥମ ଦିନରୁ ହିଁ ସାଧକ ମା ଶୈଳପୁତ୍ରୀଙ୍କ ଆରାଧନା ସହ ଉଚ୍ଚତର ସିଦ୍ଧି ଅଭିମୁଖେ ଅଗ୍ରସର ହୁଏ । ମାଦ ଯୋଗରେ ମା’ ଶୈଳପୁତ୍ରୀଙ୍କୁ ମୂଳାଧାରଚକ୍ର ସହ ତୁଳନା କରାଯାଇଛି । ସାଧକ ମୂଳାଧାର ଚକ୍ରରୁ ସାଧନା ଆରମ୍ଭ କରି ସର୍ବୋଚ୍ଚ ପର୍ଯ୍ୟାୟ ସହସ୍ରାରଚକ୍ର ପର୍ଯ୍ୟନ୍ତ ଗତି କରିଥାଏ । ଭାରତରେ ବାରାଣାସୀରେ ମାତା ଶୈଳପୁତ୍ରୀଙ୍କ ମନ୍ଦିର ଅଛି ।