ଓଡ଼ିଶାର 2 ବିଦ୍ୟୁତ ପ୍ରକଳ୍ପକୁ ପରିବେଶ ମଞ୍ଜୁରି

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ଅନୁଶୀଳନ କମିଟି ପକ୍ଷରୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଏନ୍‌ଏଲ୍‌ସି ଇଣ୍ଡିଆ ଓ ଘରୋଇ କମ୍ପାନି ଜିଏମ୍‌ଆର୍‌ ପାୱାର୍‌ର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏନ୍‌ଏଲ୍‌ସି ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯାଉଥିବା ୮୦୦ ମେଗାୱାଟ୍‌ ବିଶିଷ୍ଟ ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟକୁ ପର‌ିବେଶ ମଞ୍ଜୁରି ପ୍ରଦାନ କରାଯାଇଛି। ତଲାବୀରା ପ୍ରକଳ୍ପର ଉତ୍ପାଦନ କ୍ଷମତା ୨୪୦୦ ମେଗାୱାଟ୍‌ ଧାର୍ଯ୍ୟ କରାଯାଇଥିଲା। ଏହାର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପରେ ପ୍ରକଳ୍ପର ଉତ୍ପାଦନ କ୍ଷମତା ୩୨୦୦ ମେଗାୱାଟ୍‌କୁ ବୃଦ୍ଧି ପାଇବ।

ଏହା ହେଉଛି ଖଣି ପାଖାପାଖି ସ୍ଥାପନ କରାଯାଉଥିବା ଏକ ଅଲ୍‌ଟ୍ରା ସୁପରକ୍ରିଟିକାଲ୍ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ। କାରଖାନାକୁ ସ୍ଥାପନ କରିବାର କାର୍ଯ୍ୟବରାଦ ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭେଲ୍‌ ହାସଲ କରିଛି। ସେହିପରି, ଜିଏମ୍‌ଆର୍‌ ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଜିଏମ୍‌ଆର୍‌ ପାୱାର୍‌ର ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଛି। ଓଡ଼ିଶାରେ ଥିବା ଜିଏମ୍‌ଆର୍‌ ପାୱାର୍‌ର ଉତ୍ପାଦନ କ୍ଷମତା ୧୦୫୦ ମେଗାୱାଟ୍‌ ରହିଛି। ସେଥିରେ ଆଉ ୩୫୦ ମେଗାୱାଟ୍‌ କ୍ଷମତା ଯୋଡ଼ିବା ଲାଗି କମ୍ପାନି ପରିବେଶ ମଞ୍ଜୁରି ନିମନ୍ତେ ଆବେଦନ କରିଥିଲା। ଆମଦାନି କୋଇଲାକୁ ଏହି ପ୍ରକଳ୍ପରେ ବ୍ୟବହାର କରିବାକୁ ଜିଏମ୍‌ଆର୍‌ ଯୋଜନା ରଖିଛି।

ଗତ ଜୁନ୍ ୨୦ରେ ଅନୁଷ୍ଠିତ ହୋଇଥିବା ବିଶେଷଜ୍ଞ କମିଟି ବୈଠକରେ ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଏନ୍‌ଟିପିସି ଲିମିଟେଡ୍‌ର ଦର୍ଲିପାଲି ସୁପର ଥର୍ମାଲ୍‌ ବିଦ୍ୟୁତ୍‌ ପ୍ରକଳ୍ପର ୮୦୦ ମେଗାୱାଟ୍‌ ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ତେବେ କମିଟି କମ୍ପାନିର ଆବେଦନକୁ ଫେରାଇ ଦେଇଥିଲା। ଟର୍ମ ଅଫ୍ ରେଫରେନ୍ସ (ଟିଓଆର୍‌)ରେ ସଂଶୋଧନ କରି ପୁଣି ଥରେ ଆବେଦନ କରିବାକୁ କମ୍ପାନିକୁ କୁହାଯାଇଥିଲା।

 

Leave a comment