ସେନ୍‌ସେକ୍ସ ୧୫୭୭ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୪ ପଏଣ୍ଟରେ ବନ୍ଦ ହୋଇଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ନିବେଶକମାନେ ବିପୁଳ ପରିମାଣର ସେୟାର କିଣିବାରୁ ବମ୍ବେ ‌ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୫୭୭ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୫୦୦ ପଏଣ୍ଟ ବୃଦ୍ଧି ପାଇ ୨୩,୩୨୮ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତି ୧୦ ଲକ୍ଷ କୋଟି ଟଙ୍କା ବଢ଼ିଛି। ଫଳରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କମ୍ପାନିର ମୋଟ ବଜାର ପୁଞ୍ଜି ପରିମାଣ ୪୧୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଦୁଇଦିନ ମଧ୍ୟରେ ନିବେଶକଙ୍କୁ ୧୮.୪୨ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି।

ଏପ୍ରିଲ୍‌ ୨ରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବା ପରେ ସାରା ବିଶ୍ବର ଷ୍ଟକ୍ ବଜାର କାରବାର ପ୍ରଭାବିତ ହେବା ସହ ସୂଚକାଙ୍କ ତଳମୁହାଁ ହୋଇଥିଲା। ଏହାର ପରବର୍ତ୍ତୀ ସମୟରେ ସୂଚକାଙ୍କରେ ଯେଉଁ ହ୍ରାସ ଘଟିଥିଲା ତାହା ଭରଣା କରିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହୋଇଛି। ଅର୍ଥାତ ସେନ୍‌ସେକ୍ସରେ ଯେତିକି ହ୍ରାସ ଘଟିଥିଲା, ତାହା ଭରଣା ହୋଇଛି।

ଶୁଳ୍କ ସ୍ଥଗିତ ରହିବା ପରେ ନିବେଶକମାନଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଆଗାମୀ ଦିନରେ ବାଣିଜ୍ୟ ଲଢ଼େଇ ଘମାଘୋଟ ହେବନାହିଁ। ମଝି ବାଟ ବାହାର କରିବା ଲାଗି ଆଲୋଚନାର ସୁଯୋଗ ରହିବ। ତେଣୁ ବିଶ୍ବ ଅର୍ଥନୀତି ଯେଉଁଭଳି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା, ତାହା ହେବନାହିଁ। ଷ୍ଟକ୍ କାରବାର ବଢ଼ିବାର ଏହା ଏକ ବଡ଼ କାରଣ। ଏହା ବ୍ୟତୀତ ବିଶ୍ବର ବିଭିନ୍ନ ଦେଶରେ ଭଲ କାରବାର ହୋଇଥିବାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ଟାଟା ମୋଟର୍ସ, ଏଲ୍‌ଆଣ୍ଡ୍‌ଟି, ଆକ୍ସିସ୍ ବ୍ୟାଙ୍କ, ଆଦାନୀ ପୋର୍ଟସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଥିବା ବେଳେ ଏଚ୍‌ୟୁଏଲ୍‌ ଓ ଆଇଟିସିର ସେୟାର ମୂଲ୍ୟ କମିଥିଲା।

Leave a comment