ନ୍ୟୁୟର୍କ ମେଟ୍ରୋ ଷ୍ଟେସନ୍ରେ ଆତତାୟୀଙ୍କ ଗୁଳିମାଡ; ୧୬ ଆହତ, ଟ୍ରେନ୍ ସେବା ସ୍ଥଗିତ
ମେଟ୍ରୋ ଓଡିଶା (୧୨.୪.୨୦୨୨ )
ଆମେରିକୀୟ ସହର ‘ନ୍ୟୁୟର୍କ’ରେ ମଙ୍ଗଳବାର ସକାଳୁ ଅନେକ ଲୋକଙ୍କ ଶରୀରରେ ଗୁଳି ବାଜିଛି । ନ୍ୟୁୟର୍କ ସହରର ବ୍ରୁକ୍ଲିନ୍ ସବ୍ୱେ ଷ୍ଟେସନରେ ଏହି ଅଘଟଣ ଘଟିଛି । ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଗୁଳିମାଡ଼ରେ ୧୬ ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କ ଅଗ୍ନିଶମ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଘଟଣାସ୍ଥଲରେ ଅନେକ ଲୋକଙ୍କର ଶରୀରରେ ଗୁଳିମାଡ଼ କରାଯାଇଛି ।

ପୋଲିସ କହିବା ଅନୁସାରେ ଘଟଣା ପରେ ଷ୍ଟେସନରେ ଧୂଆମୟ ଦେଖାଯାଇଥିଲା । ଆତତାୟୀ ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଖସିଯାଇଛି । ଅନ୍ୟପଟରେ କୁହାଯାଉଛି ଏହି ଗୁଳିମାଡ଼ ଘଟଣାରେ କେତେ ଜଣ ଲୋକ ସଂପୃକ୍ତ ଅଛନ୍ତି, ତାହା ମଧ୍ୟ ଜଣାପଡ଼ି ନାହିଁ । ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରାଥମିକ ତଦନ୍ତ ପରେ କୁହାଯାଉଛି ଯେ, ଗୁଳିମାଡ଼ କରିଥିବା ବ୍ୟକ୍ତି ମେଟ୍ରୋ ଷ୍ଟେସନରେ କଷ୍ଟ୍ରକଶନ କର୍ମୀ ଭଳି କପଡ଼ା ପିନ୍ଧି ପ୍ରବେଶ କରିଥିଲେ । ସେମାନେ ଗ୍ୟାସ ମାସ୍କ ପିନ୍ଧିଥିଲେ । ଷ୍ଟେସନରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ହୋଇଛି । କିନ୍ତୁ ଅଭିଯୁକ୍ତ ଧରାପଡ଼ିନାହିଁ ।
ତେବେ ଗୁଳିମାଡ଼ର ଶିକାର ହୋଇଥିବା ସମସ୍ତ ୧୬ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ତରଫରୁ ସୁରକ୍ଷା ବଢ଼ାଇ ଦିଆଯାଇଛି । ନ୍ୟୁୟର୍କ ସହରରେ ମେଟ୍ରୋ ସେବା ସ୍ଥଗିତ ରଖାଯାଇଛି । ଆମେରିକୀୟ ସମୟ ଅନୁସାରେ ସକାଳ ସାଢ଼େ ୮ଟାରେ ଗୁଳିମାଡ଼ ହୋଇଥିଲା ।