ଲରେନ୍ସ ଗ୍ୟାଙ୍ଗର ୫ ଜଣ ଗିରଫ, ସଲମାନଙ୍କୁ Y Plus କ୍ୟାଟେଗୋରୀର ସୁରକ୍ଷା
ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଲରେନ୍ସ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଅନ୍ଧେରି ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ପାଖରୁ ୭ଟି ପିସ୍ତଲ ଏବଂ ୨୧ଟି ଲାଇଭ କାର୍ଟ୍ରିଜ ଜବତ କରିଛି। ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ଧମକ ଦେଉଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆତଙ୍କ ମୁମ୍ବାଇରେ କମିଲା ପରି ମନେହେଉ ନାହିଁ। କୃଷ୍ଣସାର ମୃଗ ଅର୍ଥାତ୍ ବ୍ଲାକ୍ ବକ୍ ହତ୍ୟା ମାମଲା ପରଠାରୁ ଅଭିନେତା ସଲମାନ ଖାନ ଲରେନ୍ସ ଗ୍ୟାଙ୍ଗରୁ କ୍ରମାଗତ ଧମକ ପାଇ ଆସୁଛନ୍ତି। ଏଭଳି ପରିସ୍ଥିତିରେ ୫ଜଣ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିବା ଏବଂ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିବା ପରେ ସଲମାନ ଖାନଙ୍କ ସୁରକ୍ଷା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି।
ପୋଲିସ କହିଛି ଯେ, ସୁମିତ କୁମାର ଏବଂ ବିକାଶଙ୍କର ଅପରାଧ ଇତିହାସ ରହିଛି। ପ୍ରାୟ ୮ ମାସ ପୂର୍ବେ, ସକାଳ ୫ଟାରେ ସଲମାନ ଖାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ ୭.୬ ବୋର ବନ୍ଧୁକରୁ ୪ ରାଉଣ୍ଡ ଗୁଳି ଚଲାଯାଇଥିଲା। ଏହି ଆକ୍ରମଣ ପରେ ଜାନୁଆରୀରେ ସଲମାନ ଖାନଙ୍କ ଆପାର୍ଟମେଣ୍ଟର ବାଲକୋନି ବୁଲେଟପ୍ରୁଫ କରାଯାଇଥିଲା। ସଲମାନ ଖାନ ବର୍ତ୍ତମାନ ବ୍ୟବହାର କରୁଥିବା କାରଟି ବୁଲେଟପ୍ରୁଫ ଏବଂ ମହାରାଷ୍ଟ୍ର ସରକାର ତାଙ୍କୁ Y Plus କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିରେ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ସୁରକ୍ଷା ୟୁନିଟର ୧୧ ଜଣ ସଶସ୍ତ୍ର ଯବାନ ସଲମାନ ଖାନଙ୍କ ସହ ଅଛନ୍ତି।