ଆଜି ଛେନାପୋଡ ଦିବସ
ମେଟ୍ରୋ ଓଡିଶା (୧୧.୪.୨୦୨୨ )
ଛେନାପୋଡ ପ୍ରତ୍ୟେକ ଓଡିଆଙ୍କର ଭାରି ପସନ୍ଦ। ପୋଡି କି ସେ ମିଠା ଟି ହେଉଥିବାରୁ ପିଲାଠାରୁ ବୁଢା ସମସ୍ତେ ପସନ୍ଦ କରନ୍ତି ଏହି ମିଠାକୁ। ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରୁ ଛେନାପୋଡ ଅନ୍ୟତମ। ବାହୁଡା ଦିନ ଛେନାପୋଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ।ଓଡିଆ ମାନେ ବିଭିନ୍ନ ଖାଦ୍ୟ ସବୁ ନେଇ ଭିନ୍ନଭିନ୍ନ ଦିବସ ପାଳନ କରିବାକୁ ଭଲପାଆନ୍ତି । ଯେପରି ମାର୍ଚ୍ଚ ୨୦ କୁ ପଖାଳ ଦିବସ ଭାବେ ପାଳନ କରାଯାଏ, ନିଳାଦ୍ରୀ ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଏ । ସେହିପରି ଏହେ ଓଡିଆ ମାନେ ଅଣ୍ଟାଭିଡ଼ିଛନ୍ତି ଏପ୍ରିଲ୍ ୧୧ କୁ ଛେନାପୋଡ ଦିବସ ରୂପେ ସାରା ବିଶ୍ବ ରେ ପାଳନ କରିବାକୁ। ଏଥିପାଇଁ ସୋସିଆଲ ମିଡିଆ ରେ ଚାଲିଛି ଜୋରସୋରରେ ପ୍ରଚାର।

ସେପଟେ ଏଭଳି ଏକ ଉଦ୍ୟମକୁ ସ୍ୱାଗତ କରିଛନ୍ତି ନୟାଗଡର ଜନସାଧାରଣ । ସହରର କଚେରୀ ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ବଞ୍ଚାଇବା ପାଇଁ କରିଥିଲେ ଉଦ୍ୟମ । ବଳକା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡପିଠା ପ୍ରସ୍ତୁତ କରିଥିଲେ ସୁଦର୍ଶନ । ଖାଲି ନୟାଗଡ ନୁହେଁ, ପୁରା ରାଜ୍ୟରେ, ଦେଶରେ ଏପରିକି ବିଦେଶରେ ମଧ୍ୟ ଏହା ବେଶ ଆଦୃତି ଲାଭ କରିଛି । ଏବେ ନୟାଗଡ ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।
ଛେନାପୋଡ ର ଜନକ ସୁଦର୍ଶନ ସାହୁ ଙ୍କ ଜନ୍ମଦିନ ଏପ୍ରିଲ ୧୧ ରେ ପଡୁଥିବାରୁ ସେହି ଦିନକୁ ବିଶ୍ବ ଛେନାପୋଡ ଦିବସ ରୂପେ ପାଳନ କରିବାକୁ ଜୋର୍ ଧରିଛି। ଏହା ପରେ ରସଗୋଲା ପରି ଏହାର ମଧ୍ଯ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ଉଠିଛି। କାହିଁକି ନା ପଶ୍ଚିମ ବଙ୍ଗ ମଧ୍ଯ ଛେନାପୋଡ କୁ ନିଜର ବୋଲି ଦାବିକଲାଣି। ମିଠା ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଅନୁସାରେ ଛେନାପୋଡ ଆମର ଓ ଅନ୍ୟ ଦିବସ ଭଳି ଏହି ଦିନକୁ ମଧ୍ଯ ଧୂମଧାମ ରେ ପାଳନ କରିବାକୁ ସମସ୍ତଙ୍କ ଇଛା।
ଅନ୍ୟ ପଟେ ସାହିତ୍ୟିକ ଅସୀତ ମହାନ୍ତିଙ୍କ କହିବା କଥା ଏହି ଦିବସ ପାଳନ ସ୍ବାଗତ ଯୋଗ୍ୟ। ଛେନାପୋଡ ଯେହେତୁ ଆମର ତା ଦିବସ ପାଳନରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଯେବେ ବାହୁଡା ରେ ଘରକୁ ଫେରନ୍ତି ସେତେବେଳେ ମାଉସୀ ମା ଯୋଉ ପୋଡପିଠା ଟି କରନ୍ତି ସେହି ଦିନ ପାଳନ ହେଲେ ଭଲ। କିନ୍ତୁ ଏହାର ଜିଆଇ ଟ୍ୟାଗ୍ ପ୍ରତି ସରକାର ପ୍ରକ୍ରିୟା ଆରମ୍ଭ କରିବା ଦରକାର। ନହେଲେ ରସଗୋଲା ପରି ଅବସ୍ଥା ହେବ।