ନାଗପୁର ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଫହିମ ଶାମିମ ଖାନ ଗିରଫ
ମହାରାଷ୍ଟ୍ର ନାଗୁପର ହିଂସା ମାମଲାର ମାଷ୍ଟରମାଇଣ୍ଡ ଫହିମ ଶାମିମ୍ ଖାନଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଛି । ଫହିମ ଖାନ ମାଇନରିଟି ଡେମୋକ୍ରେଟିକ ପାର୍ଟି(ଏମଡିପି)ର ଅଧ୍ୟକ୍ଷ ରହିଛନ୍ତି । ସେ ନାଗପୁର ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ ।
ମାର୍ଚ୍ଚ ୧୭ ତାରିଖରେ ସହରରେ ଘଟିଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ ଆଣି ପୂର୍ବରୁ ଫହିମ୍ ଶାମିମ୍ ଖାନଙ୍କର ଏକ ଫଟୋ ଜାରି କରିଥିଲା । ଏଥିରେ ଅନେକ ଲୋକ ଆହତ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ମାଷ୍ଟର୍ମାଇଣ୍ଡର ସନ୍ଧାନ ପାଇଥିଲା ।ଗଣେଶପେଠ ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଅଭିଯୋଗରେ ଫହିମ ଖାନଙ୍କ ନାମ ରହିଥିବାରୁ କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରିଥିଲା । ହିଂସା ଆରମ୍ଭ ହେବାର କିଛି ମୁହୂର୍ତ୍ତ ପୂର୍ବରୁ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିବାର ଖାନଙ୍କୁ ଦେଖିବାକୁ ମିଳିଥିଲା ।
ଫହିମ ଖାନ ୨୦୨୪ ଲୋକସଭା ନିର୍ବାଚନରେ ନାଗପୁର ନିର୍ବାଚନମଣ୍ଡଳୀରୁ ସଂଖ୍ୟାଲଘୁ ଡେମୋକ୍ରାଟିକ୍ ପାର୍ଟିର ପ୍ରତିନିଧିତ୍ୱ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ୬.୫ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ ।
ସୂଚନାକ୍ରମେ, ଔରଙ୍ଗଜେବଙ୍କ କବର ହଟାଇବା ଦାବିରେ ମହାରାଷ୍ଟ୍ର ନାଗପୁରରେ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଧାର୍ମିକ ଚିହ୍ନ ଚାଦର ଜଳାଯାଉଛି ବୋଲି ଗୁଜବ ପ୍ରଚାରିତ ହୋଇଥିଲା । ଯାହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆଉ ଧିରେ ଧିରେ ଏହା ହିଂସାର ରୂପ ନେଇଥିଲା ।