ଭାରତରେ ଏଲପିଜି ମହଙ୍ଗା କାହିଁକି ? ଜାଣନ୍ତୁ ଏହା ପଛରେ ଅସଲ ଗଣିତ କ’ଣ ରହିଛି

ଭାରତରେ ଏଲପିଜି ମହଙ୍ଗା କାହିଁକି ? ଜାଣନ୍ତୁ ଏହା ପଛରେ ଅସଲ ଗଣିତ କ’ଣ ରହିଛି

ମେଟ୍ରୋ ଓଡିଶା (୯.୪.୨୦୨୨ )

ନିକଟରେ ସମଗ୍ର ଭାରତବର୍ଷରେ ତୈଳ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ପେଟ୍ରୋଲ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ମହଙ୍ଗା ଦେଶ ହୋଇଥିବା ବେଳେ ଡିଜେଲ କ୍ଷେତ୍ରରେ ୮ ନମ୍ବରରେ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଲପିଜି କ୍ଷେତ୍ରରେ ଭାରତ ବିଶ୍ୱର ମହଙ୍ଗା ଦେଶ ଭାବେ ବିବେଚିତ ହୋଇଛି । ଅନେକ ଲୋକଙ୍କ ମନରେ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବା ସ୍ୱାଭାବିକ । ଆସନ୍ତୁ ଜାଣିବା ଏହା ପଛର ଗଣିତ ବିଷୟରେ ।

ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମକୁ ମୁଦ୍ରାର କ୍ରୟନୀତିକୁ ଭଲ ଭାବେ ହିସାବ କରିବାକୁ ପଡ଼ିବ । ଏଥିସହିତ ଅନ୍ତର୍ଜାତୀୟ ଅର୍ଥନୀତି ସମ୍ବନ୍ଧିତ କିଛି ତଥ୍ୟ ମଧ୍ୟ ଜାଣିବାକୁ ପଡ଼ିବ । ସାଧାରଣ ଭାଷାରେ କୁହାଯାଏ ଯେ, ଆମେ ନିଜ ଦେଶରେ ଏକ ଟଙ୍କା ଦେଇ ଯେତିକି ଜିନିଷ କିଣିପାରୁ, ନେପାଳରେ ତା’ଠାରୁ ଅଧିକ ଜିନିଷ କିଣିପାରିବା । ସେହିପରି ଆମେରିକାରେ ଆମେ କିଛି ବି ଜିନିଷ କିଣିପାରିବା ନାହିଁ । ଏହାର ଅର୍ଥ ହେଉଛି, ମୁଦ୍ରା ବା କରେନ୍ସି ଦ୍ୱାରା ଘରୋଇ ବଜାରରୁ ଆମେ ଯେତିକି ଜିନିଷ କିଣିପାରିବା ତାହାକୁ ‘କ୍ରୟଶକ୍ତି’ କୁହାଯାଏ । ଅଲଗା ଅଲଗା ଦେଶର ମୁଦ୍ରାର କ୍ରୟଶକ୍ତି ଅଲଗା ଅଲଗା ହୋଇଥାଏ । ମାତ୍ର ଅନ୍ତର୍ଜାତୀୟ ମାର୍କେଟକୁ ଯିବା ମାତ୍ରକେ ମୁଦ୍ରାର କ୍ରୟଶକ୍ତି ପରିବର୍ତ୍ତନ ହୋଇଯାଇଥାଏ ।

ବିଶ୍ୱର ସମସ୍ତ ଦେଶର ମୁଦ୍ରା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଟ୍ରେଡ ହୋଇଥାଏ । ତାହା ଏକ ନୋମିନଲ ଏକ୍ସଚେଞ୍ଜ ରେଟ୍ ଆଧାରରେ କରାଯାଇଥାଏ । ଏହାକୁ ହିସାବ କରି ଯେ କୌଣସି ଦେଶର ମୁଦ୍ରାର କ୍ରୟଶକ୍ତି ସ୍ଥିର ହୋଇଥାଏ । ପ୍ରତ୍ୟେକ ଦେଶର ଲୋକଙ୍କର ଆୟରେ ବହୁତ କିଛି ଫରକ ରହିଥାଏ । ଭାରତରେ ଏକ ଲିଟର ପେଟ୍ରୋଲ କିଣିବା ଗୋଟିଏ ଦିନର ଆୟର ଏକଚତୁର୍ଥାଂଶ ହୋଇଥିବା ବେଳେ ଆମେରିକାରେ ଏହା ଏକ ଭାଗ ହୋଇଥାଏ ।ଗୋଟିଏ ଦେଶର ନାଗରିକଙ୍କର କ୍ରୟଶକ୍ତି ଅନ୍ୟ ଦେଶରେ କେତେ ହେବ ତାହା ପରଚେଜିଂ ପାୱର ପ୍ୟାରିଟି ଫର୍ମୂଲାରେ ସ୍ଥିର ହୋଇଥାଏ । ଉଦାହରଣ, ଭାରତରେ ୧୦୦ ଟଙ୍କାରେ ଆପଣ ଯେପରି ଜୀବନ ବିତାଇ ପାରିବେ, ଆମେରିକାରେ ସେପରି ଜୀବନ ବିତାଇବା ପାଇଁ ଆପଣଙ୍କୁ ପାଖାପାଖି ୩୪୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅର୍ଥାତ ପରଚେଜିଂ ପାୱାର ପ୍ୟାରିଟି ଆଧାରରେ ୧ ଡଲାର ୭୫.୮୪ ଟଙ୍କା ବଦଳରେ ଅନ୍ତର୍ଜାତୀୟ ବଜାରରେ ୨୨ ଟଙ୍କାର ଭାଲ୍ୟୁ ରଖାଯାଏ । ପରଚେଜିଂ ପାୱାର ପ୍ୟାରିଟିର ଏହି ସୂତ୍ରରୁ ଆପଣମାନେ ଏହି ସିଦ୍ଧାନ୍ତରେ ପହଞ୍ଚିବେ ଯେ, ଆମେ ଭାରତୀୟମାନେ ଦୁନିଆର ସବୁଠାରୁ ମହଙ୍ଗା ଏଲପିଜି କ୍ରୟ କରୁଛେ ।