ଆଇଏସଆଇଏସର ସିରିଆ ମୁଖ୍ୟ ଅବୁ ଖଦିଜା ନିପାତ
ଆମେରିକା ଓ ଇରାକ ସେନାର ଏୟାର ଷ୍ଟ୍ରାଇକରେ ନିପାତ ହୋଇଛି ଆଇଏସଆଇଏସର ସିରିଆ ମୁଖ୍ୟ ଅବୁ ଖଦିଜା । ଆମେରିକାର ଦାବି କରିଛି ମାର୍ଚ୍ଚ ୧୩ ତାରିଖରେ ଆମେରିକୀୟ ସେନା ଇରାକର ଅଲ-ଅନବାର ଅଞ୍ଚଳରେ ଖଦିଜାଙ୍କ କାରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଇରାକର ପ୍ରଧାନମନ୍ତ୍ରୀ ମୋହମ୍ମଦ ଶିୟା ଅଲ-ସୁଦାନୀଙ୍କ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି ।
ଇରାକ ଓ ସିରିଆର ଏକ ବଡ଼ ଭୂଭାଗରେ ଆକ୍ଟଭ୍ ଥିବା ଆଇଏସଆଇଏସ ପୁଣି ଥରେ ସଙ୍ଗଠିତ ହେବାର ଚେଷ୍ଟା କରୁଥିଲା । ଅବୁ ବକ୍ର ଅଲ୍ ବଗଦାଦୀ ନିହତ ହେବା ପରେ ଆତଙ୍କୀ ସଂଗଠନକୁ ଆଗକୁ ବଢାଉଥିଲା ଖଦିଜା । ୨୦୨୪ ଆରମ୍ଭରୁ ବର୍ଷ ଅଧାଯାଏ ଇରାକ ଓ ସିରିଆରେ ୧୫୩ ଟି ଆକ୍ରମଣ କରି ଖେଳୁଥିଲା ରକ୍ତର ହୋଲି।
ଆମେରିକୀୟ ସେନା ଓ ଇରାକ ସେନାର ମିଳିତ ଅପରେସନରେ ହୋଇଥିବା ଏହି ବିମାନ ଆକ୍ରମଣରେ ଖାଦିଜାଙ୍କ ସହ ଆଉ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଆକ୍ରମଣ ପରେ, ଉଭୟ ସେନା ଆକ୍ରମଣ ସ୍ଥାନରେ ପହଞ୍ଚି ଉଭୟ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଭୟ ଆତଙ୍କବାଦୀ ଆତ୍ମଘାତୀ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାକୁ ନେଇ ଆମେରିକୀୟ ସେନାର କେନ୍ଦ୍ରୀୟ କମାଣ୍ଡ ଫୋର୍ସ ଦାବି କରିଛି ଡିଏନଏ ଟେଷ୍ଟ କରି ଆବୁ ଖାଦିଜାଙ୍କ ମୃତ ଦେହ ଚିହ୍ନଟ କରାଯାଇଛି।