ଦିନିକିଆକୁ ବାଏ ବାଏ କଲେ ଷ୍ଟିଭ୍‌ ସ୍ମିଥ୍

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ହାରିବା ପରେ ଦଳକୁ ଲାଗିଛି ଝଟ୍‌କା । ଭାରତ ଠାରୁ ୪ ୱିକେଟ୍‌ରେ ହାରିବା ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ । ଏନେଇ ବୁଧବାର ସୂଚନା ଦେଇଛି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ । ତେବେ ଦିନିକିଆକୁ ବାଏ ବାଏ କହିଥିବା ସ୍ମିଥ୍ ଟେଷ୍ଟ ଓ ଟି-ଟ୍ଵେଣ୍ଟି ଖେଳିବେ ।

୩୫ ବର୍ଷୀୟ ଷ୍ଟିଭ୍‌, ଭାରତ ଠାରୁ ହାରିବା ପରେ ତାଙ୍କ ନିଷ୍ପତ୍ତି ନେଇ ସାଥୀ ଖେଳାଳିଙ୍କୁ ଜଣାଇଥିଲେ । ସ୍ମିଥ୍ କହିଥିଲେ, ଏବେ ଏମିତି ଲାଗୁଛି ଯେମିତି ଅବସର ନେବାର ସମୟ ଆସି ଗଲାଣି । ଏହି ଯାତ୍ରା ବେଶ୍ ରୋମାଞ୍ଚକର ଥିଲା ଏବଂ ମୁଁ ପ୍ରତି ମିନିଟ୍‌ର ଆନନ୍ଦ ନେଇଛି । ଅନେକ ଅଭୁଲା ମୁହୂର୍ତ୍ତ ଓ ସ୍ମୃତି ରହିଛି । ୨ଟି ବିଶ୍ଵକପ୍ ଜିତିବା ବଡ଼ ଉପଲବ୍ଧି । ଟେଷ୍ଟ କ୍ରିକେଟ୍‌କୁ ଏବେ ବି ପ୍ରାଥମିକତା ଦେଉଛି । ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍, ଶୀତରେ ୱେଷ୍ଟଇଣ୍ଡିଜ୍ ଏବଂ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ନେଇ ଉତ୍ସାହିତ ରହିଛି ।