ପାକିସ୍ତାନରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ଯାଚ ପୂର୍ବରୁ ବାଜିଲା ଭାରତର ଜାତୀୟ ସଙ୍ଗୀତ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଲାହୋର ଗଦାଫି ଷ୍ଟାଡିୟମରେ ଖେଳ ଚାଲିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦେଶର ରାଷ୍ଟ୍ରୀୟ ସଂଗୀତ ବାଜିବାର ଥିଲା । କିନ୍ତୁ ଏହି ସମୟରେ ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ବାଜିବା ବଦଳରେ ଭାରତର ଜାତୀୟ ସଂଗୀତ ବାଜିଥିଲା । ଭୁଲ୍ ଜାଣିପାରି ଅଧିକାରୀମାନେ ତୁରନ୍ତ ଭାରତର ଜାତୀୟ ସଂଗୀତକୁ ବନ୍ଦ କରିଥିଲେ । ଏହାପରେ ପୁଣି ଅଷ୍ଟ୍ରେଲିଆର ଜାତୀୟ ସଂଗୀତ ବାଜିଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଦୀର୍ଘ ୨୯ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଥିବା ପାକିସ୍ତାନର ଏହା ସବୁଠାରୁ ବଡ଼ ଭୁଲ୍ । ଚାମ୍ପିଅନ୍ସ ଟ୍ରଫିର କୌଣସି ମ୍ୟାଚ ଭାରତ ପାକିସ୍ତାନରେ ଖେଳିବ ନାହିଁ । ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ୮ଟି ଟିମରୁ ଭାରତ ଏକମାତ୍ର ଟିମ ଯିଏକି, ପାକିସ୍ତାନ ଯିବାକୁ ମନା କରିଛି । ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ସମସ୍ତ ମ୍ୟାଚ ଏବେ ଦୁବାଇର ଖେଳିବ । ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ୍ ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଦିନ ୨ଟା ୩୦ରେ ଦୁବାଇରେ ଖେଳାଯିବ ।