ଲ୍ୟାଣ୍ଡିଂ ସମୟରେ ଭୟଙ୍କର ପ୍ଲେନ କ୍ରାସ,ଏବେ ସାମ୍ନାକୁ ଆସିଲା ଭିଡ଼ିଓ
ମେଟ୍ରୋ ଓଡିଶା (୮ .୪.୨୦୨୨) :
ଆମେରିକାରେ ଥିବା କୋଷ୍ଟା ରିକାରେ ଭୟଙ୍କର ପ୍ଲେନ କ୍ରାସ । ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ବିମାନଟି ମଝିରୁ ଦୁଇ ଖଣ୍ଡରେ ବିଭକ୍ତ ହୋଇଗଲା । ଗତକାଲି ଘଟିଥିବା ଏହି ପ୍ଲେନ୍ କ୍ରାସର ଭିଡିଓ ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି କୋଷ୍ଟା ରିକା ଜୁଆନ ସାନ୍ତା ମାରିଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ଅଘଟଣ ଘଟିଛି । ପ୍ଲେନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଜୁଆନ ସାନ୍ତା ମାରିଆ ଏୟାପୋର୍ଟରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ଆଉ ଏହାରି ମଧ୍ୟରେ ମଝିରୁ ଦୁଇ ଖଣ୍ଡ ହୋଇଯାଇଥିଲା ବିମାନ । ଖୁସିର କଥା ଯେ, ଏହା କାର୍ଗୋ ପ୍ଲେନ ଥିଲା । ଏଥିରେ କୌଣସି ଯାତ୍ରୀ ନଥିଲେ ।

ଏମିତିରେ କାର୍ଗୋ ପ୍ଲେନରେ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ବରଂ ଜିନିଷପତ୍ର ପରିବହନ ହୋଇଥାଏ । ଏହି ପ୍ଲେନରେ କେବଳ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ । ଦୁର୍ଘଟଣା ପରେ ପାଇଲଟ ବି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଭିଡିଓରେ ଦେସଖିବାକୁ ମିଳିଛି ଯେ, ଡିଏଚଏଲ କମ୍ପାନୀର ହଳଦିଆ ରଂଗର ଏହି ବିମାନ ଯେତେବେଳେ ଅବତରଣ କରିଥିଲା ସେଥିରୁ ଧୂଆଁ ବାହାରୁଥିଲା । ରନଓରୁ ଏହା ଖସି ଯାଇଥିଲା ଓ ପରେ ଦୁଇ ଖଣ୍ଡ ହୋଇଗଲା । ବୋଇଂ ୭୫୭ ପ୍ଲେନ ସାନ୍ତା ମାରିଆ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିଥିଲା । ହେଲେ ୨୫ ମିନିଟ ପରେ ପୁଣି ଫେରି ଆସିଥିଲା । କାରଣ ସେଥିରେ କିଛିି ସମସ୍ୟା ଦେଖା ଦେଇଥିଲା, ଯେଉଁ କାରଣରୁ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣା ପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିଥିଲା ।