ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଲା ଭାରତ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ଭାରତ ପାଇଁ ୨୨୯ ରନର ଟାର୍ଗେଟ ରଖିଥିଲା। ବାଂଲାଦେଶ ଦଳ ୨୨୮ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ଭାରତ ଗିଲଙ୍କ ୧୨୯ ବଲ ରୁ ୯ ଚୌକା ଏବଂ ୨ଟି ଛକା ସହାୟତାରେ ଅପରାଜିତ ୧୦୧ ରନ ବଳରେ ୪୬.୩ ଓଭରରେ ୪ ଉଇକେଟ ହରାଇ ୨୩୧ ରନ କରି ମ୍ୟାଚ ଜିତି ନେଇଥିଲା। ଏହିପରି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଛି।
ଟାର୍ଗେଟର ପିଛା କରି ଅଧିନାୟକ ରୋହିତ ଶର୍ମା ଏବଂ ଗିଲ ଭାରତକୁ ଭଲ ଆରମ୍ଭ ଦେଇଥିଲେ, କିନ୍ତୁ ରୋହିତ ୪୧ ରନ କରି ଆଉଟ ହୋଇଥିଲେ। ଏହା ପରେ ଦଳ ବିରାଟ କୋହଲି, ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲଙ୍କ ଉଇକେଟ ହରାଇଥିଲା। କୋହଲି ୨୨ ରନ, ଶ୍ରେୟସ ୧୫ ଏବଂ ଅକ୍ଷର ୮ ରନ କରିଥିଲେ। ଏହା ପରେ, କେଏଲ ରାହୁଲ ଗିଲଙ୍କ ସହିତ ପଞ୍ଚମ ଉଇକେଟ ପାଇଁ ୮୭ ରନର ଅପରାଜିତ ଭାଗୀଦାରି କରିଥିଲେ। କେଏଲ ରାହୁଲ ୪୭ ବଲ୍‌ରେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୪୧ ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ରିଶାଦ ହୋସେନ ଦୁଇଟି ଉଇକେଟ ନେଇଥିବା ବେଳେ ତସ୍କିନ ଅହମ୍ମଦ ଏବଂ ମୁସ୍ତାଫିଜୁର ରହମାନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।