ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡିଲେ ବୁମ୍‌ରା

ଭାରତୀୟ ଦଳର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ବାଦ ଦିଆଯାଇ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଡାକରା ମିଳିଛି । ୧୫ ତାରିଖରେ ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବ । ଜୈସ୍ୱାଲ ୩ ଜଣିଆ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ।

ପେସ୍‌ ବୋଲର ମହମ୍ମଦ ସିରାଜ ଓ ଅଲ୍‌ରାଉଣ୍ଡର ଶିବମ ଦୁବେ ଅନ୍ୟ ୨ ରିଜର୍ଭ ଖେଳାଳି ଭାବେ ରହିଛନ୍ତି । ଏମାନେ ଦଳ ସହ ଦୁବାଇ ଯାତ୍ରା କରିବେ ନାହିଁ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଦୁବାଇ ପଠାଯିବ । ବୁମରା ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି । ଗତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟରେ ସେ ଆହତ ହୋଇଥିଲେ । ବୋଲିଂ ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଗତ ମାସରେ ଘୋଷଣା କରାଯାଇଥିବା ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଥିଲା ।