‘ନାଗ ମାର୍କ-୨’ ମିସାଇଲ୍ର ସଫଳ ପରୀକ୍ଷଣ
ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍ ଫର୍ଗେଟ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ରାଜସ୍ଥାନର ଜୈସଲମେର ଜିଲା ପୋଖରାନ ଫିଲ୍ଡ ଫାୟାରିଙ୍ଗ୍ ରେଞ୍ଜ୍ରୁ ଏହି ମିଶାଇଲର ୩ଟି ପରୀକ୍ଷଣ କରାଯାଇଛି। ଉକ୍ତ ପରୀକ୍ଷଣରେ ‘ନାଗ ମାର୍କ ୨’ ମିଶାଇଲ ଠିକ୍ ଭାବେ ନିଜର ସମସ୍ତ ଟାର୍ଗେଟକୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍ଡିଓ) ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହାସହ ‘ନାଗ ମାର୍କ ୨’ ମିଶାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ‘ନାଗ ମାର୍କ ୨’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି।