ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି, ସୁଟ୍‌ଆଉଟରେ ଜିତି ଶୀର୍ଷରେ ଭାରତ

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି, ସୁଟ୍‌ଆଉଟରେ ଜିତି ଶୀର୍ଷରେ ଭାରତ

ମେଟ୍ରୋଟିଭିଓଡିଶା(୩.୪.୨୦୨୨):

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ରେ ଭାରତ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ (ସଡନ୍‌ଡେଥ୍‌) ୩-୨ (୩-୩) ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ବୋନସ୍‌ ଦୁଇ ପଏଣ୍ଟ ପାଇଛି। ଭାରତ ୯ଟି ମ୍ୟାଚରୁ ମୋଟ ୧୮ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଛି।ଘରୋଇ ପଡିଆରେ ଖେଳୁଥିବା ଭାରତକୁ ଭ୍ରମଣକାରୀ ଇଂଲଣ୍ଡ ପ୍ରାରମ୍ଭରୁ ଚାପରେ ରଖିଥିଲା। ଖେଳର ୭ ମିନିଟ୍‌ରେ ଇଂଲଣ୍ଡକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ନିକୋଲାସ ବାନ୍ଦୁରାକ୍‌ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଇଂଲଣ୍ଡର ଅଗ୍ରଣୀକୁ ଭାରତ ବେଶି ସମୟ ରଖିବାକୁ ଦେଇନଥିଲା। ଖେଳର ୧୩ ମିନିଟ୍‌ରେ ଭାରତ ପକ୍ଷରୁ ଅଭିଷେକ ଗୋଲ ଦେଇ ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। 

ଖେଳ ଶେଷ ହେବାକୁ ଆଉ ୧୪ ସେକେଣ୍ଡ ବାକି ଥିବାବେଳେ ଇଂଲଣ୍ଡକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ସାମ୍‌ ୱାର୍ଡ ଗୋଲରେ ପରିଣତ କରି ମ୍ୟାଚକୁ ୩-୩ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ଖେଳ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ପେନାଲ୍ଟି ସୁଟ୍‌ଆଉଟ୍‌ ୨-୨ ବରାବର ରହିବାରୁ ସଡନଡେଥ୍‌ର ଆଶ୍ରୟ ନିଆ ଯାଇଥିଲା। ଏଥିରେ ଭାରତ ୧-୦ରେ ବିଜୟୀ ହୋଇଥିଲା।

ଅତିଥି ଭାବେ ଇଡ୍‌କୋ ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଯୋଗ ଦେଇଥିଲେ। ଭାରତ ୯ଟି ମ୍ୟାଚରୁ ୫ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ସୁଟ୍‌ଆଉଟ୍‌ ବିଜୟ ଓ ଗୋଟିଏ ପରାଜୟ ସହ ୧୮ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।