ବର୍ଷା ଉଜାଡ଼ିଲା ଅମଳ ଧାନ , କ୍ଷତିପୂରଣ ଦେବାକୁ ସରକାର କୁନ୍ଥକୁନ୍ଥ
ଝାଳବୁହା ପରିଶ୍ରମ କରି ଖେତରେ ଫଳାଇଥିବା ସୁନାର ଫସଲକୁ ଘରକୁ ଆଣିବା ପାଇଁ ସଜବାଜ ହେଉଥିବାବେଳେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ପୁଷ ମାସର ଲଗାଣ ବର୍ଷା। ଲଘୁଚାପ ବର୍ଷା କାରଣରୁ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ବର୍ଷା ପାଣିରେ ଧାନ ବତୁରି ପଡ଼ିଛି। ଲଗାତାର ଦୁଇ ଦୁଇଟି ଲଘୁଚାପଜନିତ ବର୍ଷା ଯୋଗୁଁ ବିଲରେ ପଡ଼ିଥିବା ପାଚିଲା ଧାନ ଗଜା ମାରିଗଲାଣି। ଖାଇବା ମୁହଁରୁ ଦାନା ଛଡ଼ାଇନେବା ଭଳି ଅମଳଧାନର ଅବସ୍ଥା ଦେଖି ଚାଷୀର ଛାତି ଫାଟିପଡ଼ୁଛି। ଧାର, କରଜରେ ବୁଡ଼ି ନିଜ ତେଲଲୁଣର ସଂସାର ଚଳାଇବା ପାଇଁ ଅରଜିଥିବା ବର୍ଷକର ଦାନା କଥା ଭାବି ଭାବି କାହାକୁ ହୃଦ୍ଘାତ ହେଲାଣି ତ କିଏ ଜୀବନ ହାରିଦେଲାଣି। ଉଜୁଡ଼ା ଚାଷ ଚିନ୍ତାରେ ଗତ ଦୁଇ ଦିନ ମଧ୍ୟରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ର ଦୁଇ ଜଣ ଚାଷୀଙ୍କର ହୃଦ୍ଘାତରେ ମୃତ୍ୟୁ ହେବା ଏବଂ ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ର ଜଣେ ଚାଷୀ ଆତ୍ମହତ୍ୟା କରିବା ଘଟଣା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ବିପର୍ଯ୍ୟୟ ପ୍ରବଣ ଓଡ଼ିଶାର ଚାଷୀ ଯେକୌଣସି ପରିସ୍ଥିତିକୁ ସାମ୍ନା କରି ସୁନାର ଫସଲ ଫଳାଇବାରେ ସିଦ୍ଧହସ୍ତ ହୋଇଥିଲେ ହେଁ ଋତୁକାଳୀନ ବର୍ଷାର ବିଲକ୍ଷଣ ସବୁ ଅଙ୍କକୁ ବିଗାଡ଼ି ଦେଇଛି। ଏଭଳି ସ୍ଥିତିରେ ବିଲମୁଣ୍ଡରୁ ଖଳାକୁ ପାଚିଲା ଧାନ ଆଣିବାର ସବୁ ଆଶା ହରାଇଦେଇଥିବା ଚାଷୀ ପରିବାରକୁ ସରକାରୀ ସହାୟତା ହିଁ ଏକମାତ୍ର ଭରସା। ତେଣୁ ସରକାର ନିର୍ଦ୍ଧାରିତ ବିଧିବ୍ୟବସ୍ଥାର ଗଣ୍ଡିରୁ ବାହାରି କ୍ଷେତ୍ର ରିପୋର୍ଟକୁ ଅପେକ୍ଷା ନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ଧାନ ଖେତର ଦୁର୍ଦ୍ଦଶା ବଖାଣି ଜଣେ ଚାଷୀ କୋହଭରା କଣ୍ଠରେ କହିଛନ୍ତି, ପ୍ରଥମ ଅବପାତ ପରେ ଯାହା କିଛି ବଞ୍ଚିଥିଲା ତାକୁ ଶୁଖାଇ ଅମଳ କରିବାକୁ ଚେଷ୍ଟା କରିଥିଲି; ହେଲେ ଆଉ ଗୋଟେ ଲଘୁଚାପ ଆମର ସବୁକିଛି ଉଜାଡ଼ିଦେଲା। ଧାନ ବିଲରେ ପଡ଼ିଛି। ରାତିରେ ନିଦ ହେଉନି। ଭୋକ ନାହିଁ କି ଶୋଷ ବି ନାହିଁ। ଏମିତି ଦୁର୍ଦ୍ଦଶା ଦେଖିକି ଆମେ ରହିପାରୁନୁ କି ସହିବି ପାରୁନୁ। ଗଜପତି ଜିଲ୍ଲାର ଜଣେ ଚାଷୀ କାନ୍ଦ କାନ୍ଦ କଣ୍ଠରେ କହିଛନ୍ତି, ଆମର ୩୧୦୦ ଟଙ୍କା ଦରକାର ନାହିଁ। ସରକାରଙ୍କୁ ଗୁହାରି କରୁଛୁ। ଆମର ଯାହା ଖର୍ଚ୍ଚ ହେଇଛି, ସେତିକି ଫେରେଇ ଦିଅନ୍ତୁ। ସୁଧକୁ ଟଙ୍କା ଆଣି ୩ ଏକର ବିଲ ଚାଷ କରିଛି। ଗୁଣ୍ଠେ ବିଲର ଧାନ ବି ଘରକୁ ନେଇନି। ସବୁ ବିଲରେ ଗଜା ହୋଇଗଲାଣି।