ନିଜ ମାଟିରେ ରାଜସ୍ଥାନଠୁ ହାରିଲା ମୁମ୍ବାଇ

ନିଜ ମାଟିରେ ରାଜସ୍ଥାନଠୁ ହାରିଲା ମୁମ୍ବାଇ

ମେଟ୍ରୋଟିଭିଓଡିଶା(୨.୪.୨୦୨୨):

ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଜୋସ ବଟଲରଙ୍କ ଶତକ ଆଗରେ ହାର ମାନିଛି ଇଶାନ କିଶାନ ଏବଂ ତିଲକ ବର୍ମାଙ୍କ ଅର୍ଦ୍ଧଶତକ । ଶେଷରେ ମ୍ୟାଚକୁ ୨୩ ରନରେ ଜିୀତି ନେଇଛି ରାଜସ୍ଥାନ ରୋୟଲ୍ସ । ମୁମ୍ବାଇ ଦୁଇଟି ମ୍ୟାଚରେ ଦୁଇ ଥର ପରାଜୟର ସାମନା କରିଥିବା ବେଳେ ରାଜସ୍ଥାନ ନିଜର ଉଭୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ ବିଜୟ ହାସଲ କରିଛି ।୧୯୪ ରନର ପିଛା କରି ମୁମ୍ବାଇ ପକ୍ଷରୁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ କିପର ଇଶାନ କିଶାନ । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରି ମୁମ୍ବାଇ ମ୍ୟାଚକୁ ହାତଛଡା କରିଛି । କ୍ୟାପଟେନ ରୋହିତ ମାତ୍ର ୧୦ ରନ କରି ପାଭିଲିୟନ ଫେରିଯିବା ପରେ ଅନମୋଲପ୍ରୀତ ସିଂହ ମଧ୍ୟ ୫ ରନରେ ଆଉଟ ହୋଇଥିଲେ ।

ଏହାପରେ ଇଶାନ କିଶାନ ଏବଂ ତିଲକ ବର୍ମା ଏକ ବଡ ଭାଗିଦାରୀ ପାଇଁ ଚେଷ୍ଟା କରିବା ସହ ଉଭୟ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଇଶାନ କିଶାନ ୪୩ ବଲରେ ୫ ଚୌକା ଏବଂ ୧ ଛକା ସହ ୫୪ ରନ ସଂଗ୍ରହ କରିଥିବା ବେଳେ ୩୩ ବଲରୁ ରନର ୬୧ ଦମଦାର ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ ତିଲକ ବର୍ମା । ତାଙ୍କର ଏହି ବିସ୍ଫୋଟକ ପାଳିରେ ୫ଟି ଛକା ଏବଂ ୩ଟି ଚୌକା ସାମିଲ ରହିଛି । କିନ୍ତୁ ଉଭୟଙ୍କ ୱିକେଟ ପରେ ବ୍ୟାକଫୁଟକୁ ଚାଲିଯାଇଥିଲା ମୁମ୍ବାଇ । ପୋଲାର୍ଡଙ୍କ ଧିମା ପାରି ସହିତ ଅନ୍ୟ କୌଣସି ଖେଳାଳି ମଇଦାନରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ହାତଛଡା କରିଛି ।ଏହି ମ୍ୟାଚ ସହିତ ଚଳିତ ସିଜନରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ରାଜସ୍ଥାନ । ସେପଟେ ମୁମ୍ବାଇ ଏହାସହିତ ଦ୍ୱିତୀୟ ଲଗାତାର ପରାଜୟ ବରଣ କରିଛି । ରାଜସ୍ଥାନ ପକ୍ଷରୁ ବୋଲିଂ କରି ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ଏବଂ ଷ୍ଟାର ପେସରେ ନବଦୀପ ସୈନୀ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଟ୍ରେଣ୍ଟ ବୋଲ୍ଟ, ରବି ଅଶ୍ୱୀନ ଏବଂ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।