ଏଣିକି ୫ମ ଓ ୮ମ ଶ୍ରେଣୀର ପିଲାଙ୍କୁ ଫେଲ୍ କରିପାରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ
ଶିକ୍ଷାଧିକାର ଆଇନ, ୨୦୧୯ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ପୂର୍ବେ ୫ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ‘ଫେଲ୍’ କରାଯାଉ ନଥିଲା। ମୂଲ୍ୟାୟନ ସଂଖ୍ୟା ନିର୍ବିଶେଷରେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଉଥିଲା। ‘ସଂଶୋଧିତ ଶିକ୍ଷାଧିକାର ଆଇନ’ ଅନୁସାରେ ଏହି ନୀତିରେ ପରିବର୍ତ୍ତନ କରାଯାଇଛି। ନୂଆ ନୀତି ଅନୁସାରେ, କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଣିକି ୫ମ ଓ ୮ମ ଶ୍ରେଣୀର ପିଲାଙ୍କୁ ଫେଲ୍ କରିପାରିବେ।
ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏ ନେଇ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓ ‘ନୋ ଡିଟେନ୍ସନ୍ ପଲିସି’କୁ ରଦ୍ଦ କରିଛନ୍ତି। ୫ ଓ ୮ମ ଶ୍ରେଣୀ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହେବେ ସେମାନଙ୍କୁ ଫେଲ୍ କରାଯିବ। ଯେଉଁମାନେ ଫେଲ୍ ହୋଇଛନ୍ତି ସେମାନଙ୍କୁ ୨ ମାସ ମଧ୍ୟରେ ପୁଣିଥରେ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ। ଯଦି ଏଥିରେ ମଧ୍ୟ ସେମାନେ ଅକୃତକାର୍ଯ୍ୟ ହୁଅନ୍ତି, ସେମାନଙ୍କୁ ଆଉ ପରବର୍ତ୍ତୀ ଶ୍ରେଣୀକୁ ପଠାଯିବ ନାହିଁ। ତେବେ ଏହି କାରଣକୁ ନେଇ ୮ମ ଶ୍ରେଣୀ ଯାଏଁ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବିତାଡ଼ିତ କରାଯାଇ ପାରିବ ନାହିଁ। ଯେଉଁମାନେ ଫେଲ୍ ହୋଇଛନ୍ତି ସେମାନଙ୍କୁ ଓ ସେମାନଙ୍କ ଅଭିଭାବକଙ୍କୁ ସ୍ବତନ୍ତ୍ର ପରାମର୍ଶ ଦିଆଯିବ। ଶିଶୁମାନଙ୍କ ମଧ୍ୟରେ ଶିକ୍ଷଣ ମାନ ଉନ୍ନତ କରିବାକୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପରିବର୍ତ୍ତିତ ନୀତି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଆଦି କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ୩ହଜାର ସ୍କୁଲରେ କାର୍ଯ୍ୟକାରୀ ହେବ। ସ୍କୁଲ ଶିକ୍ଷା ରାଜ୍ୟ ସରକାରଙ୍କ ଅଧୀନ, ଏଣୁ ଏ ଦିଗରେ ରାଜ୍ୟ ସରକାର ସ୍ବ ନୀତି ଗ୍ରହଣ କରିପାରିବେ। ସୂଚନାଯୋଗ୍ୟ, ଜୁଲାଇ ୨୦୧୮ରେ ଲୋକସଭା ‘ନୋ ଡିଟେନ୍ସନ୍ ପଲିସି’ ହଟାଇବା ନେଇ ଶିକ୍ଷାଧିକାର ଆଇନରେ ଆବଶ୍ୟକ ସଂଶୋଧନକୁ ଗୃହୀତ କରିଥିଲା। ୨୦୧୯ରେ ରାଜ୍ୟସଭା ଏହାକୁ ସ୍ବୀକୃତି ଦେଇଥିଲା। କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ନୀତି ଅନୁସାରେ, ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ‘ନୋ ଡିଟେନ୍ସନ୍ ପଲିସି’କୁ ହଟାଇ ସାରିଛନ୍ତି।