ଶ୍ରୀଲଙ୍କାରେ ସାଂଘାତିକ ସ୍ଥିତି : ଅର୍ଥନୈତିକ ସଙ୍କଟ ମଧ୍ୟରେ ମୁହାଁମୁହିଁ ହେଲେ ପୋଲିସ୍-ଜନତା

ଶ୍ରୀଲଙ୍କାରେ ସାଂଘାତିକ ସ୍ଥିତି : ଅର୍ଥନୈତିକ ସଙ୍କଟ ମଧ୍ୟରେ ମୁହାଁମୁହିଁ ହେଲେ ପୋଲିସ୍-ଜନତା

ମେଟ୍ରୋ ଓଡିଶା (୧ .୪.୨୦୨୨) :

ଶ୍ରୀଲଙ୍କାରେ ସାଂଘାତିକ ସ୍ଥିତି। ରାଷ୍ଟ୍ରପତି ରାଜପାକ୍ସଙ୍କ ଘର ଆଗରେ ଲୋକଙ୍କ ଜୋରଦାର ବିରୋଧ ପ୍ରଦର୍ଶନ ଦେଖାଦେଇଛି। ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ପ୍ରଦର୍ଶନକାରୀ। ଏହା ସହିତ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଦେଶରେ ବିଭିନ୍ନ ଆଡୁ ହାହାକାର ପରିସ୍ଥିତି ଦେଖାଦେଇଛି । ଗତ ସପ୍ତାହେ ବ୍ୟାପି ତୀବ୍ର ଆର୍ଥିକ ସଙ୍କଟରେ ଶ୍ରୀଲଙ୍କାବାସୀ କଲବଲ ହେଉଛନ୍ତି । ଅଶାନ୍ତ ହୋଇପଡିଛି ରାଜଧାନୀ କଲମ୍ବୋ। ଖାଦ୍ୟ ସଙ୍କଟ ଠାରୁ ବିଭିନ୍ନ ସମସ୍ୟାରେ ଘାଣ୍ଟି ସନ୍ତୁଳି ହେଉଥିବା ପ୍ରାୟ ୫ ହଜାର ଲୋକେ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି। ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ, ଲୁହ ବୁହା ଗ୍ୟାସ୍ ଏବଂ ପାଣି ମାଡ କରିଥିଲା । ବିକ୍ଷୋଭକୁ ରୋକିବା ପାଇଁ ପାରାମିଲିଟାରୀ ପୋଲିସ ଏବଂ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସକୁ ଡକାଯାଇଥିଲା। ପରେ ସହରର କିଛି ସ୍ଥାନରେ କଫ୍ୟୁ ଲାଗୁ କରାଯାଇଛି ।

ରିପୋର୍ଟ ଅନୁଯାୟୀ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ଅବନତିର ସମ୍ମୁଖୀନ ହେଉଛି। ଅନେକ ସପ୍ତାହ ଧରି ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ ଏବଂ ଗ୍ୟାସର ଅଭାବକୁ ନେଇ ଦେଶ ସଂଘର୍ଷ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆର୍ଥିକ ସଙ୍କଟରୁ ବର୍ତିବା ଏବଂ ବିଦ୍ୟୁତ୍ ଶକ୍ତି ସଂଚୟ କରିବା ପାଇଁ ଶ୍ରୀଲଙ୍କା ସହରରେ ଲାଗିଥିବା ସବୁ ଷ୍ଟିଟ୍ ଲାଇଟ୍ ବନ୍ଦ କରିଦେଇଛି । ପ୍ରାୟ ଅଢେଇ କୋଟି ଲୋକ ୨୪ ଘଂଟାରୁ ୧୩ ଘଂଟା ବିନା ବିଦ୍ୟୁତରେ ଅନ୍ଧାରରେ ଜୀବନଯାପନ କରୁଛନ୍ତି । ସରକାରଙ୍କ ପାଖରେ ପେଟ୍ରୋଲ, ଡିଜେଲ କିଣିବା ପାଇଁ ଆବଶ୍ୟକୀୟ ବୈଦେଶିକ ମୁଦ୍ରା ନାହିଁ ତେଣୁ ବିଦ୍ୟୁତ୍ ବଂଚାଇବା ପାଇଁ ଏହି ନିଷ୍ପତି ନିଆଯାଇଛି ବୋଲି ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କହିଛନ୍ତି । ତେଲ ନ ଥିବାରୁ ଦେଶରେ ପ୍ରାୟ ସବୁ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋକ ଖାଇବାକୁ ମଧ୍ୟ ପାଉନାହାଁନ୍ତି ।

ବିକ୍ଷୋଭ ଭିତରେ କଲମ୍ବୋରେ ଜଣେ ପୋଲିସ୍ ମୁଖପାତ୍ର କହିଛନ୍ତି – ୪୫ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ୪୪ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଥିଲେ ଏହି ଏନକାଉଣ୍ଟରରେ ଜଣେ ASP ସମେତ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିକୁ ଦେଖି ସରକାର କହିଛନ୍ତି ଯେ ଏହି ବିରୋଧ ଏକ ଉଗ୍ରବାଦୀ ଦଳ ଦ୍ୱାରା ଆୟୋଜିତ ହୋଇଥିଲା। ସରକାରଙ୍କ ତରଫରୁ କୁହାଯାଇଛି ଯେ ଅଧିକାଂଶ ଅପରାଧୀଙ୍କୁ ଗିରଫ କରାଯାଇଛି।