ସଂସଦରେ ଠେଲାପେଲା ଘଟଣାକୁ ନେଇ ସଂସଦରୁ, ପାନ ଦୋକାନ ଚର୍ଚା ହେଉଛି । କିଏ କାହାକୁ ଠେଲିଲା ତାହା ଯେତିକି ଆଲୋଚନା ହେଉନାହିଁ ତାଠୁ ବେଶୀ ଆଲୋଚନା ହେଉଛି ରାହୁଲ ଗାନ୍ଧୀଙ୍କ ଆଚରଣ । ସାଂସଦ ପ୍ରତାପ ଷଡ଼ଙ୍ଗୀ ପଡ଼ିଯିବା ପରେ ସେ କହିଲେ ଯିଏ ଯେମିତି କରିଛି ସେମିତି ଫଳ ପାଇବ । ଏହି ଭିଡିଓ ଭାଇରାଲ ହେଉଛି ।
ସେପଟେ ଏହି ଘଟଣାର ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ । ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଗୁରୁବାର ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ୍ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆହତ ହୋଇଥିଲେ।
ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେବା ସହ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଉଭୟ ପକ୍ଷର ଏତଲା ଗ୍ରହଣ କରିବା ସହ ଏଫ୍ଆଇଆର୍ କରିଛି। ରାହୁଲଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୧୫, ୧୧୭, ୧୨୫ , ୧୩୧, ୩୫୧ ଏବଂ ୩(୫)ରେ ମାମଲା ରୁଜୁ କରାଯାଇଛି।
ତାଙ୍କ ବିରୋଧରେ ରୁଜୁ ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଦେଖାଯାଉ ରାହୁଲଙ୍କୁ କି ଦଣ୍ଡ ମିଳୁଛି ।