୧୦ ଦିନ ବିତିଲା : ସରକାର ଗଠନ ହୋଇପାରୁନି
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ? ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି।
ସିନ୍ଦେ କିଛି ବଡ଼ ଦାବି କରୁଥିବା ଚର୍ଚା ହେଉଛି । ଅଜିତ ପାୱାର ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟୁଛନ୍ତି । ବିଜେପି ସଭାପତି ଜେପି ନଡ୍ଡା ଆସନ୍ତା ଡିସେମ୍ବର ୪ ତାରିଖରେ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକ ପାଇଁ ଦୁଇ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।
ଡିସେମ୍ବର ୫ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ବିଜେପି ଘୋଷଣା କରିଛି। ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛନ୍ତି। କିନ୍ତୁ ଏଯାବତ୍ କିଛି ସ୍ପଷ୍ଟ ହୋଇପାରୁନି। ଡିସେମ୍ବର ୪ ତାରିଖ ବୈଠକ ପରେ ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବେ।
ମହାରାଷ୍ଟ୍ର ବିଜେପି ବିଧାୟକମାନଙ୍କ ବୈଠକ ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ସେହି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ବିଜେପି ବିଧାୟକ ଦଳ ବୈଠକରେ ସେମାନେ ଉପସ୍ଥିତ ରହିବେ। ଦେବେନ୍ଦ୍ର ଫଡ଼ନାବିସଙ୍କୁ ଦଳର ନେତା ନିର୍ବାଚିତ କରାଯିବ ଏବଂ ସେ ହିଁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।