୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଥର କିଏ ମାରିବ ବାଜି? । ବିଜେପି ଅଧିକ ଆସନ ପାଇବ କି କଂଗ୍ରେସ ଅଧିକ ଆସନ ପାଇବ? କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏସବୁ ପ୍ରଶ୍ନ ଭିତରେ ଚାଲିଛି ମହାରାଷ୍ଟ୍ରରେ ମତଦାନ । ସେହିପରି ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ବିରୋଧୀ ମହାବିକାଶ ଅଘାଡି (ଏମ୍ଭିଏ) ଏବଂ ଶାସକ ମହାୟୁତି ମେଣ୍ଟ ପାଇଁ ଏହି ନିର୍ବାଚନର ପରିଣାମ ସେମାନଙ୍କ ଦଳ ଓ ମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବ।
ଏମ୍ଭିଏ ମେଣ୍ଟ ଜାତିଗତ ଜନଗଣନା ଏବଂ ରାଜ୍ୟ ଛାଡି ଗୁଜରାଟକୁ ଯାଇଥିବା ପ୍ରମୁଖ ପୁଞ୍ଜିନିବେଶ ପ୍ରକଳ୍ପଗୁଡିକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଦର୍ଶାଇଛି। ଶାସକ ମହାୟୁତି ମହିଳାଙ୍କ ପାଇଁ ମାସିକ ଭତ୍ତା ଓ ଲଡକୀ ବହିନ ଯୋଜନା ଦ୍ବାରା ପୁଣି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ।
ବିଜେପି ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ‘ଏକ ହୈ ତୋ ସେଫ୍ ହୈ’ ଭଳି ସ୍ଲୋଗାନ୍ ବ୍ୟବହାର କରିବା ପରେ ବିରୋଧୀ ଦଳଗୁଡ଼ିକ ଧାର୍ମିକ ଭିତ୍ତିରେ ଭୋଟରଙ୍କ ଧ୍ରୁବୀକରଣ କରୁଥିବା ଅଭିଯୋଗ ଆଣିଥିଲେ। ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ୫୯ ଆସନରେ ନିର୍ବାଚନ ଲଢ଼ୁଛି। ଏମ୍ଭିଏ ପାଇଁ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଏବଂ ଏନ୍ସିପି (ଏସପି) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି।
୨୩ ତାରିଖ (ଶନିବାର) ଭୋଟ୍ ଗଣତି ହେବ । ଉଭୟ ରାଜ୍ୟରେ ଦୁଇ ମେଂଟ ଦଳ ମହିଳା, କୃଷକ ଓ ବେରୋଜଗାର ଯୁବକଙ୍କ ପାଇଁ ମାଗଣା ଦାନ ଓ କଲ୍ୟାଣକାରୀ ଯୋଜନାର ପ୍ରତିଶ୍ରୁତି ଦେଇଛନ୍ତି।
ଝାଡ଼ଖଣ୍ଡର ୪୩ଟି ଆସନ ପାଇଁ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା।