ପାକିସ୍ତାନକୁ ଚେତାବନୀ ଦେଲେ ଫାରୁକ୍ ଅବଦୁଲ୍ଲା

ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ମୁଖ୍ୟ ଫାରୁକ ଅବଦୁଲ୍ଲା  ଆଜି ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦର ପ୍ରସାର ପାଇଁ ଏହା ଯେତେ ଉଦ୍ୟମ କଲେ ମଧ୍ୟ ସ୍ଥାନୀୟ ଲୋକେ ପାକିସ୍ତାନର ଅଂଶ ହେବାକୁ କଦାପି ଚାହିବେ ନାହିଁ। ଏବେ ଜମ୍ମୁ କଶ୍ମୀରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଉଛି ତାହାର ସମସ୍ତ ଉତ୍ସ  ପାକିସ୍ତାନରେ ରହିଛି ଏବଂ  ପାକିସ୍ତାନକୁ ଏହାର କ୍ରମାଗତ ଆକ୍ରମଣ ବନ୍ଦ କରିବାକୁ ପଡ଼ିବ ବୋଲି ଫାରୁକ ଚେତାବନୀ ଦେଇଛନ୍ତି। ଇସଲାମାବାଦ ଭାରତର ବନ୍ଧୁ ହେବାପାଇଁ ଉପାୟ ଖୋଜିବା ଆବଶ୍ୟକ। ଆତଙ୍କବାଦ ଦ୍ବାରା ଜମ୍ମୁ କଶ୍ମୀରରେ ଏହା କିଛି ବି  ହାସଲ କରିପାରିବ ନାହିଁ ବୋଲି ଫାରୁକ କହିଛନ୍ତି। ଯେତେବେଳେ ଆମେ ପାକିସ୍ତାନର ଅଂଶ ହୋଇପାରିବୁ ନାହିଁ, ସେତେବେଳେ ଆମ ଉପରେ ଏଭଳି ଆକ୍ରମଣରୁ ପାକିସ୍ତାନକୁ କୌଣସି ଫଳ ମିଳିବ ନାହିଁ ବୋଲି ଫାରୁକ କହିଛନ୍ତି।