ଦାନା’ର ପ୍ରଭାବ ପ୍ରାୟ ୧୯ଟି ଜିଲ୍ଲା ଉପରେ ପଡ଼ିଛି: ଆସିଲା ବନ୍ୟା ଭୟ

ଦାନା’ର ପ୍ରଭାବ ପ୍ରାୟ ୧୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ସଂପର୍କିତ  ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି।ଦାନା’ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ସ୍ଥଳଭାଗ ଛୁଇଁବା ପରେ ଆହୁରି ବର୍ଷା ହେବ। କେଉଁଠି ପ୍ରବଳ ତ ଆଉ କେଉଁଠି ପ୍ରବଳରୁ ପ୍ରବଳତର ବର୍ଷା ହେବ। କିଛି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବ। ଆଉ ଏହି ବର୍ଷା ଯୋଗୁ ୧୬ଟି ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ,ନୟାଗଡ଼ ଓ ପୁରୀ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି