ବାତ୍ୟା ‘ଦାନା’ର ପ୍ରଭାବ
ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ବାତ୍ୟା ‘ଦାନା’ର ପ୍ରଭାବରେ ଦୀଘା ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଛି।
କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଉପକୂଳ ସମୁଦ୍ରରେ ଜୁଆର ୧ ରୁ ୨ ମିଟର ଅଧିକ ଉଚ୍ଚ ରହିଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପାରାଦୀପଠାରୁ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଧାମରା ବନ୍ଦରଠାରୁ ୨୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ‘ଦାନା’ରହିଛି। ସେହିପରି ସାଗରଦ୍ବୀପଠାରୁ ୩୧୦ କିଲୋମିଟର ଦୂରରେ ରହିଛି। ଦୂରତା କମିବା ସହିତ ଉପକୂଳ ଅଞ୍ଚଳରେ ବାସକରୁଥିବା ଲୋକଙ୍କ ମଧ୍ୟରେ ବାତ୍ୟା ‘ଦାନା’ କିଭଳି ପ୍ରଳୟ ରଚିବ ସେନେଇ ଆତଙ୍କ ବଢ଼ିବାରେ ଲାଗିଛି।
ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି ବାତ୍ୟା । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବ । କେନ୍ଦ୍ରସ୍ଥଳୀରେ ପବନ ବେଗ ୯୫ରୁ ୧୦୫ କିମି ରହିଛି । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା ।
ସେ ଆହୁରି କହିଛନ୍ତି ଯେ ଖୋର୍ଦ୍ଧା ପୁରୀରେ ୬୦ରୁ ୮୦ କିମି ବେଗରେ ପବନ ବହିବ । ମୟୂରଭଞ୍ଜରେ ୮୦ କିମି ବେଗରେ ପବନ ବହିବ । ୨୪ ଘଣ୍ଟା ଭିତରେ ଉପକୂଳରେ ସାମାନ୍ୟରୁ ମଧ୍ୟମ ବର୍ଷା । ଆଜି ଓ କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ୧ରୁ୨ ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା । କେନ୍ଦ୍ରାପଡା ଓ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ ।