ଆମେ ଶାନ୍ତି ଚାହୁଁ । ଯୁଦ୍ଧ ବନ୍ଦ କରିବାକୁ ଚାହୁଁ । କିନ୍ତୁ ହମାସକୁ ଆମ କଥା ମାନିବାକୁ ପଡ଼ିବ । ପଣବନ୍ଦୀଙ୍କୁ ଛାଡିଲେ ଯୁଦ୍ଧ ବନ୍ଦ କାଲି ହୋଇଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଗାଜାକୁ ନିୟନ୍ତ୍ରଣ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ତଥା ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ୍ ୟାହ୍ୟା ସିନ୍ୱାରକୁ ନିପାତ କରିବା ପରେ ଏପରି କହିଛନ୍ତି ନେତାନ୍ୟାହୁ ।
ସିନଓ୍ବାର ମୃତ୍ୟୁକୁ ନେଇ ହମାସ୍ ମଧ୍ୟ ସ୍ବୀକାର କରିଛି। ଏବେ ହମାସର ମୁଖ୍ୟ କେହି ନାହାଁନ୍ତି । ହମାସ ଦୁର୍ବଳ ହୋଇଛି । ହମାସର ବଡ଼ ବଡ଼ ନେତାଙ୍କ ସହ ତାଙ୍କ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ନାଗରିକଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯଦି ହମାସ ଅସ୍ତ୍ର ଛାଡ଼ି ଦେବାପାଇଁ ରାଜି ହୁଏ ଏବଂ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିଦେବାପାଇଁ ରାଜି ହୁଏ ତା’ହେଲେ ଆମେ ଯୁଦ୍ଧ ଆସନ୍ତାକାଲି ହିଁ ବନ୍ଦ କରିଦେବୁ।
ଏକ ଭିଡିଓ ସେୟାର କରି ନେତାନ୍ୟାହୁ କହିଛନ୍ତି, ‘ୟାହ୍ୟା ସିନ୍ୱାର ଆଉ ନାହିଁ। ଯେଉଁ ଯୁବକମାନଙ୍କୁ ସେ ଇସାରା ଦେଇ ଲଢ଼ାଇ କରୁଥିଲା ସେମାନେ ସବୁ ଆଉ ନାହାଁନ୍ତି । ଗାଜାରେ ଯୁଦ୍ଧ ସରିବ ଯଦି ହମାସ ଆତ୍ମସମର୍ପଣ କରିବ । ତେବେ ହମାସ ପକ୍ଷରୁ କିଛି କୁହାଯାଇନାହିଁ । ଗାଜାରେ ଯୁଦ୍ଧ ଶେଷ ନୁହେଁ ବରଂ ଏହା ଶେଷର ଆରମ୍ଭ। ଗାଜା ଲୋକଙ୍କ ପାଇଁ ମୋର ଅତି ସରଳ ବାର୍ତ୍ତା ରହିଛି ଏବଂ ତାହା ହେଉଛି ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୋଇଯାଇପାରେ । ଯଦି ହମାସ ଅସ୍ତ୍ର ଛାଡ଼ିଦେବା ସହ ପଣବନ୍ଦୀଙ୍କୁ ଫେରାଇ ଦେବ । କେବଳ ଆମ ସର୍ତ୍ତ ମାନିବାକୁ ପଡ଼ିବ ଏହା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।
ନେତାନ୍ୟାହୁ କହିଛନ୍ତି, ହମାସ ଗାଜାରେ ୧୦୧ ଜଣଙ୍କୁ ପଣବନ୍ଦୀ ରଖିଛି। ୨୩ ରାଷ୍ଟ୍ରର ନାଗରିକଙ୍କୁ ହମାସ ପଣବନ୍ଦୀ ରଖିଥିବା ସେ କହିଛନ୍ତି। ନେତାନ୍ୟାହୁ ମଧ୍ୟ କଡ଼ା ଚେତାବନୀ ଦେଇ କହିଛନ୍ତି, ଯେଉଁମାନଙ୍କୁ ପଣବନ୍ଦୀ ରଖାଯାଇଛି ଇସ୍ରାଏଲ ସେମାନଙ୍କୁ ନ୍ୟାୟ ଦେବ।
ପଣବନ୍ଦୀଙ୍କର ହମାସ କ୍ଷତି କଲେ ନିଜର ମଧ୍ୟ ଶହେ ଗୁଣା କ୍ଷତି ଦେଖିବ । ଇରାନରେ କିଭଳି ଇସ୍ରାଏଲ ଆକ୍ରମଣ କଲା ତାହା ହମାସ ଦେଖୁ ବୋଲି ସେ ଚେତାବନୀ ଦେଇଛନ୍ତି । ହେଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲାକୁ ନିପାତ କରିଛି ଇସ୍ରାଏଲ । ହେଜବୁଲ୍ଲା କୁ କଠୋର ଭାବେ ଦମନ କରାଯାଇଛି । ଇରାନ, ଇରାକ, ସିରିୟା, ଲେବାନନ୍ ଏବଂ ୟେମେନରେ କୈାଣସି ଆତଙ୍କବାଦୀକୁ ଛଡାଯିବ ନାହିଁ । ଘରେ ପଶି ଆମ ସେନା ମାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ନସ୍ରଲା, ମୋହସେନ, ହାନିୟେହ, ଡିଫ୍ ଏବଂ ସିନ୍ୱାର କେହି ଆଉ ନାହାଁନ୍ତି ନେତୃତ୍ବ ନେବା ପାଇଁ । ଆଉ ଯିଏ ଆଗକୁ ଆସିବ ସେ ବି ମରିବ ବୋଲି କହିଛନ୍ତି ନେତାନ୍ୟାହୁ । ଇରାନ ଏହାର ନିଜ ନାଗରିକଙ୍କ ଉପରେ ଯେଉଁ ଆତଙ୍କବାଦ ଶାସନ ଚଳାଇଛି ତାହା ବି ଶେଷ କରିବ ଇସ୍ରାଏଲ । ମଧ୍ୟ ପ୍ରାଚ୍ୟରେ ଅଶାନ୍ତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ତେବେ ନେତାନ୍ୟାହୁଙ୍କ ଚେତାବନୀର ଉତ୍ତର କଣ ଦେଉଛି ହମାସ ଦେଖିବାକୁ ବାକି ରହିଲା ।