ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଆଜି ଘୋଷଣା ହେବ । ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍ ଗଣତି ପରେ କିଏ ସରକାର ଗଣିବ ସ୍ପଷ୍ଟ ହେବ। ନିର୍ବାଚନ ଫଳ ଜାଣିବା ପାଇଁ ନାଗରିକମାନଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା ରହିଛି। କାରଣ ଏହି ନିର୍ବାଚନ ଉଭୟ ଜମ୍ମୁ-କଶ୍ମୀର ଏବଂ ହରିୟାଣା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଜମ୍ମୁ-କଶ୍ମୀରରେ ୧ ଦଶନ୍ଧି ପରେ ଭୋଟ୍ ହୋଇଛି ଏବଂ ହରିୟାଣାରେ ମଧ୍ୟ ୧୦ ବର୍ଷ ପରେ କ୍ଷମତା ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବୁଥ୍ ବାହୁଡ଼ା ମତ ଅନୁଯାୟୀ ଜମ୍ମୁ-କଶ୍ମୀରରେ ଚଳିତ ଥର ଝୁଲା ସରକାର ହୋଇପାରେ।
କଂଗ୍ରେସ-ଏନ୍ସି ମେଣ୍ଟକୁ ପାଖାପାଖି ୪୩ ଆସନ ମିଳିବ। ସଂଖ୍ୟାଗରିଷ୍ଠତା ପାଇଁ କଂଗ୍ରେସ-ଏନ୍ସି ମେଣ୍ଟ ପାଖରେ ଆଉ ୩ କିମ୍ବା ୪ ଆସନ ଆବଶ୍ୟକ ପଡ଼ିପାରେ। ଅନ୍ୟପକ୍ଷେ ବିଜେପି ୨୭ ଆସନରେ ଜିତିପାରେ, ପିଡିପି ୭ ଏବଂ ଅନ୍ୟମାନେ ୧୩ ଆସନରେ ଜିତିପାରନ୍ତି। କିନ୍ତୁ ବୁଥ୍ ବାହୁଡ଼ା ମତ ଅନୁଯାୟୀ କଂଗ୍ରେସ ହରିୟାଣାରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବ। କଂଗ୍ରେସ ହରିୟାଣାରେ ପାଖାପାଖି ୫୫ ଆସନରେ ଜିତିବ, ବିଜେପି ୨୭, ଆଇଏନ୍ଏଲ୍ଡି ୨, ଜେଜେପି ୧ ଏବଂ ଅନ୍ୟମାନେ ୫ ଆସନରେ ଜିତିବେ ବୋଲି ବୁଥ୍ ବାହୁଡ଼ା ମତ କହୁଛି। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।