ଭାରତୀୟ ନାଗରିକମାନଙ୍କୁ ଇରାନ ଗସ୍ତ ନ କରିବାକୁ ପରାମର୍ଶ
ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଇରାନରେ । ଇସ୍ରାଏଲ ଆକ୍ରମଣର ଭୟ ରହିଛି । ସାରା ବିଶ୍ବର ନାଗରିକ ଇରାନରୁ ପଳାୟନ କରୁଛନ୍ତି । ଏଭଳି ସ୍ଥିତିରେ ଭାରତୀୟମାନଙ୍କୁ ସରକାର କହିଛନ୍ତି ଇରାନ ନଯିବା ପାଇଁ । ମଙ୍ଗଳବାର ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହୋଇଛି । ଆମେରିକା ଇସ୍ରାଏଲ ଏନେଇ ଗୁପ୍ତ ଆଲୋଚନା କରିଛନ୍ତି । ଇରାନର ନେତାମାନେ ବଙ୍କରରେ ଲୁଚିଛନ୍ତି । ତେଣୁ କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ ଅତି ଜରୁରୀ ନ ଥିଲେ ଇରାନ ଗସ୍ତ ନ କରିବାକୁ ପରାମର୍ଶ ଦେଇଛନ୍ତି।
ଅଧିକାରୀମାନେ ଇରାନରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବା ଏବଂ ତେହେରାନରେ ଥିବା ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରକୁ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆମେରିକା, ଇସ୍ରାଏଲ ‘ଗୁରୁତର ପରିଣାମ’ ପାଇଁ ଚେତାବନୀ ଦେଇଛନ୍ତି, ଯାହା ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ମଧ୍ୟ ମଙ୍ଗଳବାର ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଉପଦେଶାବଳି ଜାରି କରିଛି। ଏହାସହିତ ସୁରକ୍ଷା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ପରାମର୍ଶ ଦିଆଯାଇଛି।