ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ?

ଯାଜପୁର: ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବବି । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ସେ ଯାଜପୁର ବିକାଶ ପାଇଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ମୋହନ ସରକାରକୁ କଡ଼ା ସମାଲୋଚନା କରିବା ସହ ପୁଣିଥରେ ଯାଜପୁରର ନେତୃତ୍ୱ ନେବେ ବୋଲି ଇସାରା କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ଲଢ଼ିବା ପାଇଁ ପଠାଇଥିଲେ । ଏହି ୪ମାସ ଭିତରେ ସେ ଯାଜପୁର ଆସିପାରିନାହାନ୍ତି । କିନ୍ତୁ ଯାଜପୁରବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣିଥରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ବବି ଗତ ସାଧାରଣ ନିର୍ବାଚନରେ ନିଜର ପାରମ୍ପରିକ ଯାଜପୁର ବିଧାନସଭା ଆସନ ପରିବର୍ତ୍ତେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।  ନିଜର ମା’ଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲେ । ଆଉ ସେଠାରେ ତାଙ୍କ ମା’ ପରାଜିତ ହୋଇଥିଲେ । କିନ୍ତୁ ତାଙ୍କର ଅନୁଗତ ସୁଜାତା ସାହୁଙ୍କୁ ନିଜ ସିଟ୍ ଯାଜପୁରରୁ ଦଳୀୟ ପ୍ରାର୍ଥୀ କରାଇଥିଲେ ଏବଂ ସୁଜାତା ମଧ୍ୟ ବିଜୟୀ ହୋଇଛନ୍ତି । ବବିଙ୍କ ପାଇଁ ସୁଜାତା ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ଆକଳନ ଜାରି ରହିଛି ।