ଆଜି ଇନ୍ଦିରା ଏକାଦଶୀ

ହିନ୍ଦୁବିଶ୍ୱାସୀ ସନାତନ ସଂସ୍କୃତିର ଓ ଭକ୍ତି ଭାବନାପୂର୍ଣ୍ଣ ହୃଦୟରେ ପାଳନ କରିଥାନ୍ତି । ଏକାଦଶୀ ବ୍ରତ ହିନ୍ଦୁ ଧର୍ମର ଏକ ପବିତ୍ର ବ୍ରତ । ସୁସ୍ଥ ଓ ଦୀର୍ଘଜୀବନ ଲାଭରେ ସହାୟକ ହୁଏ ଏକାଦଶୀ ଉପବାସ । ଅଗ୍ନି ପୁରାଣ ମତରେ ଏକାଦଶୀ ବ୍ରତ କଲେ ଭଗବାନ ଶ୍ରୀହରିଙ୍କ ନିତ୍ୟ ନିବାସରେ ସ୍ଥାନ ମିଳେ । ଭାକ୍ତିକ ବିଚାରରେ ଏହି ବ୍ରତ ପାଳନରେ ଆତ୍ମା ଶୁଦ୍ଧ ହୁଏ ମନରେ ସଂକଳ୍ପ ଶକ୍ତି ବଢ଼େ ଏବଂ ମସ୍ତିଷ୍କରେ ଜ୍ଞାନତନ୍ତୁ ବିକାଶିତ ହୁଏ ।ଅନ୍ୟ ପକ୍ଷରେ ଏକାଦଶୀ ବ୍ରତ ମାସରେ ଦୁଇଥର ପେଟକୁ ବିଶ୍ରାମ ଦିଏ, ଯକୃତ ଦୋଷକୁ ଦୂର କରି ପାକାଗ୍ନିକୁ ସକ୍ରିୟ କରାଏ । ମାସରେ ଦୁଇଥର କୃଷ୍ଣ ପକ୍ଷ ଓ ଶୁକ୍ଳ ପକ୍ଷରେ ପଡ଼େ ଏକାଦଶୀ ବ୍ରତ । ପ୍ରତି ଏକାଦଶୀର ଗୋଟିଏ ଲେଖାଏଁ ନାଁ ରହିଛି । ସେହିପରି ଆଶ୍ୱିନ ମାସର କୃଷ୍ଣ ଏକାଦଶୀକୁ କୁହାଯାଏ ଇନ୍ଦିରା ଏକାଦଶୀ । ଆଶ୍ୱିନ ମାସ ପିତୃପକ୍ଷରେ ପଡ଼ୁଥିବା ଏହି ଏକାଦଶୀ ପିତୃଗଣଙ୍କୁ ମୁକ୍ତି ଦିଏ ।କଥିତ ଅଛି ପ୍ରାଚୀନ କାଳରେ ମାହିଷ୍ମତୀ ନଗରୀର ରାଜା ଇନ୍ଦ୍ରସେନ ଧର୍ମାତ୍ମ ଓ ଦାନୀ, ଭକ୍ତ ଥିଲେ । ଥରେ ନାରଦ ମହର୍ଷି ରାଜାଙ୍କ ନିକଟରେ ପହଞ୍ଚି କହିଲେ ତୁମେ ପିତା ବ୍ରତ ଭଙ୍ଗ କରି ଯମଲୋକକୁ ଯାତ୍ରା କରିଛନ୍ତି । ତୁମେ ଯଦି ଇନ୍ଦିରା ଏକାଦଶୀ ବ୍ରତ କରି ପିତାଙ୍କୁ ଏକାଦଶୀର ଫଳ ଅର୍ପଣ କରିବ ତେବେ ଯାଇ ତାଙ୍କର ସ୍ୱର୍ଗବାସ ହୋଇପାରିବ । ନାରଦଙ୍କ କଥାରେ ରାଜା ଏକାଦଶୀ ବ୍ରତ କରିଥିଲେ । ଶାଳଗ୍ରାମ ପୂଜା କରି ପିତୃଙ୍କ ପାଇଁ ବ୍ରାହ୍ମଣ ଭୋଜନ ଦେଇଥିଲେ ।