ପାକିସ୍ତାନରେ ବଦଳିପାରେ ସରକାର
ପାକିସ୍ତାନରେ ବଦଳିପାରେ ସରକାର । ଗୋଟେ ପଟେ ଇମ୍ରାନଙ୍କ ଦଳ ଆନ୍ଦୋଳନ କରୁଛି । ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ ଶେହବାଜ ସରିଫ ସରକାର ଓ ନିର୍ବାଚନ ଆୟୋଗଙ୍କ ‘ଜାଲିଆତି’ ବିରୋଧରେ ରାୟ ଦେଇଛନ୍ତି। ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍କୋର୍ଟ ଖପା ହୋଇଛନ୍ତି । କୋର୍ଟ କମିସନଙ୍କ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସଂରକ୍ଷିତ ଆସନକୁ ନେଇ ଇମ୍ରାନ୍ ଖାନ୍ଙ୍କ ଦଳ ସପକ୍ଷରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ପିଟିଆଇକୁ ସଂରକ୍ଷିତ ଆସନ ଆବଣ୍ଟନ ନିଷ୍ପତ୍ତି ବିରୋଧରେ ଶାସକ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ନେତୃତ୍ୱାଧୀନ ସରକାର ଜୁଲାଇ ୧୫ରେ ସୁପ୍ରିମ୍ କୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। କୋର୍ଟ ଏହାକୁ ଖାରଜ କରିବା ସହ ଇମ୍ରାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହା ପୂର୍ବରୁ ଜୁଲାଇ ୧୨ ରେ ସର୍ବୋଚ୍ଚ ନ୍ୟାୟାଳୟର ୧୩ ଜଣିଆ ଖଣ୍ଡପୀଠ ୮-୫ ସଂଖ୍ୟାଗରିଷ୍ଠତା ରାୟ ଦେଇ କହିଥିଲେ ଯେ ପିଟିଆଇ ଜାତୀୟ ଆସେମ୍ଳିରେ ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ଆସନ ପାଇବାକୁ ଯୋଗ୍ୟ। କୋର୍ଟ ପିଟିଆଇକୁ ସଂସଦୀୟ ଦଳ ଭାବେ ବିବେଚନା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ୭୧ ବର୍ଷୀୟ ପିଟିଆଇ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏବେ ୨୦୦ରୁ ଅଧିକ ମାମଲା ରହିଛି ଏବଂ ଏବେ ସେ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି।
ସୁପ୍ରିମ୍କୋର୍ଟ ନିର୍ବାଚନ କମିସନଙ୍କ ବିଭିନ୍ନ ପଦକ୍ଷେପକୁ ବେଆଇନ ବୋଲି କହିବା ସହ ସଂରକ୍ଷିତ ଆସନ ମାମଲାରେ କମିସନ ଜାଲିଆତିରେ ସଂପୃକ୍ତ ଥିବାରୁ କମିସନଙ୍କ ନିର୍ବାଚନ ପରିଣାମ ସଂକ୍ରାନ୍ତ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।