ମେଟ୍ରୋ ଟିଭି ଓଡିଶା (୧୬ .୩ . ୨୦୨୨) :
ବିରାଟ କୋହଲିଙ୍କଠାରୁ ସମସ୍ତ ଫର୍ମାଟ୍ର କ୍ରିକେଟ୍ରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ନେବା ପରେ ଭାରତ ୫ଟି ଶୃଙ୍ଖଳା ଖେଳିଛି। ଗୋଟିଏ ଶୃଙ୍ଖଳା କଥା ଛାଡ଼ନ୍ତୁ; ରୋହିତଙ୍କ ନେତୃତ୍ୱରେ ଉପରୋକ୍ତ ୫ଟି ଶୃଙ୍ଖଳାରୁ ଭାରତ ଗୋଟିଏ ମଧ୍ୟ ମ୍ୟାଚ୍ ହାରିନାହିଁ। ରୋହିତଙ୍କ ନେତୃତ୍ୱରେ ଭାରତ ୫ଟିଯାକ ଶୃଙ୍ଖଳା ପୋଛିନେବାରେ ସମର୍ଥ ହୋଇଛି। ରୋହିତ ଶର୍ମା ପୂର୍ଣ୍ଣକାଳୀନ ଅଧିନାୟକ ହେବା ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩-୦ରେ ଟ୍ୱେଣ୍ଟି୨୦ ଶୃଙ୍ଖଳା, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩-୦ରେ ଦିନିକିଆ ଶୃଙ୍ଖଳା, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩-୦ରେ ଟ୍ୱେଣ୍ଟି୨୦ ଶୃଙ୍ଖଳା, ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୦ରେ ଟ୍ୱେଣ୍ଟି୨୦ ଶୃଙ୍ଖଳା ଏବଂ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୦ରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ଫଳରେ ୩୪ ବର୍ଷ ବୟସ୍କ ରୋହିତଙ୍କ ନେତୃତ୍ୱରେ ଭାରତ ମୋଟ ୧୪ଟି ମ୍ୟାଚ୍ ଖେଳି ଅପରାଜିତ ରହିଛି। ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ନେତୃତ୍ୱଧୀନ ଭାରତ ୨ଟିଯାକ ଟେଷ୍ଟକୁ ୩ ଦିନ ମଧ୍ୟରେ ଜିତିବାରେ ସଫଳ ହୋଇଛି।

ସୂଚନାଯୋଗ୍ୟ; ରୋହିତଙ୍କ ନେତୃତ୍ୱରେ ମୁମ୍ବଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଆଇପିଏଲ୍ ଚମ୍ପିଆନ୍ ହୋଇଛି। ଏହା ସତ ଯେ ବିରାଟ କୋହଲିଙ୍କଠାରୁ ରୋହିତ ଶର୍ମାଙ୍କ ନେତୃତ୍ୱନେବା ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ହେଲେ ଅଦ୍ୟାବଧି ରୋହିତ ଶର୍ମା ୧୪ଟି ମ୍ୟାଚ୍ରେ ତାଙ୍କ ନେତୃତ୍ୱ ନେବା ଶୈଳୀ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। କ୍ରିକେଟ୍ ପଣ୍ଡିତମାନେ ରୋହିତଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଭାରତୀୟ କ୍ରିକେଟ୍ ଏବେ ସୁରକ୍ଷିତ ହାତରେ ବୋଲି କହିଛନ୍ତି। ବିଶିଷ୍ଟ କ୍ରିକେଟ୍ ଭାଷ୍ୟକାର ହର୍ଷ କହିଛନ୍ତି, ଅଧିନାୟକ ଭାବେ ରୋହିତ ବହୁତ ଶାନ୍ତ ସ୍ୱଭାବର ମନେ ହେଉଛନ୍ତି। ସେ ଖେଳାଳିଙ୍କ ସହ ନିୟମିତ କଥାବାର୍ତ୍ତା କରୁଛନ୍ତି ଏବଂ ସେମାନଙ୍କୁ ସୁଯୋଗ ମଧ୍ୟ ଦେଉଛନ୍ତି।