ଭୁବନେଶ୍ବର: ପୁଣି ଦେଖାଗଲା ବିଜେପି ବିଜେଡ଼ି ଟକ୍କର | ବିଜେଡ଼ି ହାତରୁ ଆସନ ଛଡାଇନେଲା ବିଜେପି | ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ କିନ୍ତୁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଛଡାଇନେଇଛି ବିଜେପି। ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ରାଇଘର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତିବାରେ ସମର୍ଥ ହୋଇଛନ୍ତି। ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦକୁ ବିଜେପି ନିଜ କବ୍ଜାରେ ରଖିବାରେ ସଫଳ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଗତ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବାରୁ ସେ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଜି ଉପନିର୍ବାଚନ ହୋଇଥିବାବେଳେ ବିଜେଡି ଲିଲିତା ଦାସଙ୍କୁ ପ୍ରାର୍ଥୀ କରିଥିଲା। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଠାରେ ବିଜେଡିର ସଂଖ୍ୟା ଗରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ଥିବାରୁ ବିଜେପି ରିସ୍କ େନଇ କାହାକୁ ପ୍ରାର୍ଥୀ କରିନଥିବା କୁହାଯାଉଛି।
ଅପରପକ୍ଷେ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୈତାରୀ ପ୍ରଧାନ ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିବାବେଳେ ଉପନିର୍ବାଚନ ହୋଇଥିଲା। ଆଜି ମୋଟ୍ ୨୮ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨୫ଜଣ ବିଜେପି ସମର୍ଥିତ ପ୍ରାର୍ଥୀ କୁମାରୀ ଦାସଙ୍କୁ ଭୋଟ୍ ଦେଇଥିଲେ। ଦୈତାରୀ ମାତ୍ର ୩ଟି ଭୋଟ୍ ପାଇଥିଲେ। ବିଜେଡି କବ୍ଜାରେ ଏହି ଅଧ୍ୟକ୍ଷ ପଦବି ଗତ ୨୪ବର୍ଷ ଧରି ଥିବାବେଳେ ଚଳିତଥର ବିଜେପି ରଣନୀତି ଆଗରେ ବିଜେଡି ହାର୍ ମାନିଛି