କେଦାରନାଥରେ ଫସିଥିବା ୪ ଓଡିଆ କାଉଡିଆ ସୁରକ୍ଷିତ ଉଦ୍ଧାର

କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ସଦର ଥାନା ଅଞ୍ଚଳର ୪ ଜଣ କାଉଡ଼ିଆ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪ ଦିନ ଧରି ଫଶି ରହିବା ପରେ ଆଜି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସକାଳ ୭ଟାରୁ ପାଦରେ ଚାଲି ଚାଲି ଅପରାହ୍ନ ୩ଟାରେ ସୋନପ୍ରୟାଗଠାରେ ପହଞ୍ଚିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାବାହିନୀ ଏସଡିଆରଏଫ,ଏନଡିଆରଏଫ ଓ ବାୟୁସେନା ନିୟୋଜିତ ହୋଇଛନ୍ତି । ଦୀର୍ଘ ୪ ଦିନ ହେଲାଣି ଉଦ୍ଧାର କାର୍ଯ୍ୟ ଜାରିରହିଛି ।କେଦାରନାଥରେ ଜଳାଭିଷେକ ପାଇଁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ସରୁଆଳୀ ଗ୍ରାମର କାର୍ତ୍ତିକେଶ୍ୱର ଖିଲାର, ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ, ଦୋବଲାପାଳ ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ ଓ ସଦର ଥାନା କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ ମିଶି ଗତ ୨୭ ତାରିଖ ଦିନ ଘରୁ ଯାଇଥିଲେ, ତେବେ ୩୧ ତାରିଖ ଜଳଲାଗି କରିବା ପରେ ୧ ତାରିଖ ଫେରିବା ଯୋଜନା ରହିଥିଲା । ୩୧ ତାରିଖ ରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଟକି ରହିଥିଲେ । ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ଅବସ୍ଥିତ ରାଜପଥ ଧୋଇ ନେବା ସହିତ ଭୀମତାଲ ଟ୍ରେକ ଲାଇନରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । କେଦାରନାଥରେ ୪ ଦିନ ଅଟକିବା ପରେ ଖାଇବା, ପିଇବା, ରହିବା ଓ ଶ୍ୱାସ କ୍ରିୟା ସମସ୍ୟାରେ ପଡ଼ିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାରଙ୍କ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା।