ମୁଁ ଏକତା ଚାହେଁ , ଧ୍ୱଂସ ନୁହେଁ !

zelenskyy-denies-russias-claims

ମେଟ୍ରୋ ଟିଭି ଓଡିଶା (୧୧ .୩ . ୨୦୨୨) :

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ରୁଷର ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସସ୍ତୁତରେ ପରିଣତ ହୋଇଗଲାଣି। ତଥାପି ୟୁକ୍ରେନ ସୈନ୍ୟ ରୁଷର କଡ଼ା ମୁକାବିଲା କରୁଛନ୍ତି। ରୁଷ ସେନା ୟୁକ୍ରେନ ରାଜଧାନୀ କିଭ୍‌କୁ ଦଖଲ କରିବାକୁ ଚାହୁଁଥିଲେ ମଧ୍ୟ ଏଯାଏ ଏଥିରେ ସଫଳତା ପାଇ ନାହାନ୍ତି। ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାରାତ୍ମକ କେମିକାଲ ଅସ୍ତ୍ର ବ୍ୟବହାର କରିବାକୁ ଚାହୁଁଥିବା ରୁଷ ଅଭିଯୋଗ କରିବା ପରେ ଜେଲେନସ୍କି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ରୁଷର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, “ୟୁକ୍ରେନ କୌଣସି ପ୍ରକାରର ବାୟୋ କେମିକାଲ ଅସ୍ତ୍ର ମୁତୟନ କରିନାହିଁ। ବ୍ୟାପକ ଧ୍ୱଂସଲୀଳା କରିବାର କୌଣସି ଅସ୍ତ୍ର କେବେ ହେଲେ ୟୁକ୍ରେନ ବ୍ୟବହାର କରିବ ନାହିଁ।” ଦେଶକୁ ସମ୍ବୋଧନ କରି ଜେଲେନସ୍କି କହିଛନ୍ତି, ମୁଁ ଗୋଟିଏ ଦେଶ ଓ ଲୋକଙ୍କ ରାଷ୍ଟ୍ରପତି। ମୁଁ ଦୁଇ ଜଣ ପିଲାଙ୍କ ବାପା। ମୁଁ କେବେ ହେଲେ ଧ୍ୱଂସଲୀଳା କରିପାରିବି ନାହିଁ। ଆମ ମାଟିରେ ବ୍ୟାପକ କ୍ଷତି କରୁଥିବା କୌଣସି ଅସ୍ତ୍ର ମୁତୟନ କରାଯାଇନି। ପୂରା ବିଶ୍ୱ ଏକଥା ଭଲ ଭାବେ ଜାଣିଛି। ଯଦି ରୁଷ ଆମ ବିରୋଧରେ ସେଭଳି କୌଣସି ଅସ୍ତ୍ର ବ୍ୟବହାର କରିବ, ତା’ହେଲେ ଏହାର ପରିମାଣ ଅତ୍ୟନ୍ତ ଭୟଙ୍କର ହେବ। ଆମେ ସାଂଘାତିକ କଟକଣା ଲଗାଇ ଏହାର ଜବାବ ଦେବୁ।