ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ, ହିଂସାରେ ଗଲାଣି ୧୦୫ରୁ ଅଧିକ ଜୀବନ

ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ, ହିଂସାରେ ଗଲାଣି ୧୦୫ରୁ ଅଧିକ ଜୀବନ। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ସାରା ଦେଶରେ ଲାଗୁ ହୋଇଛି କର୍ଫ୍ୟୁ। ଏଭଳି ସ୍ଥିତିରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭୮ ଜଣ ଭାରତୀୟ ଛାତ୍ରଙ୍କୁ କେନ୍ଦ୍ର ସରକାର ସ୍ବଦେଶ ଫେରାଇ ଆଣିଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫସି ରହିଥିବା ଅନ୍ୟ ଭାରତୀୟ ନାଗରିକ ମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଛି। ନାଗରିକଙ୍କ ଉଦ୍ଧାର ପଥ ସୁଗମ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିମାନ ଚଳାଚଳ ଇମିଗ୍ରେସନ, ସ୍ଥଳ ବନ୍ଦର ଓ ବିଏସଏଫ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖିଛି। ମୋଟ ୪୦୦୦ ଛାତ୍ର କିପରି ନେପାଳ ଓ ଭୁଟାନ ଦେଇ ଭାରତ ଫେରିବେ ସେନେଇ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।