ଆଜିଠୁ ଏସସିବି ମେଡିକାଲରେ ସ୍ୱାଭାବିକ ହେବ ରୋଗୀ ସେବା

ତୁଟିଲା କଟକ ବଡ଼ ମେଡିକାଲର ନର୍ସିଂ ଅଫିସର ଏବଂ ହାଉସଙ୍କ ସର୍ଜନ ମଧ୍ୟରେ ବିବାଦ । ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ନେଇ ବୈଠକ ବସିଥିଲା । ଯେଉଁଥିରେ ତଦନ୍ତ କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,  ଆନ୍ଦୋଳନ ସ୍ଥଗିତ ରହିଛି । ଆଜିଠୁ ରୋଗୀ ସେବା ସ୍ୱାଭାବିକ ରହିବ । ସମସ୍ତେ ରୋଗୀ ସେବାରେ ସହଯୋଗ କରିବେ ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ସ୍ବାସ୍ଥ୍ୟ ସଚିବ ବୈଠକ ଜରିଆରେ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ରବିବାର ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ନର୍ସ ଏବଂ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାପରେ ପରସ୍ପର ବିରୋଧରେ ପାଲଟା ଅଭିଯୋଗ କରିଥିଲେ । ଗତକାଲି ଏହାକୁ ନେଇ ଜରୁରୀକାଳୀନ ଓ୍ୱାର୍ଡକୁ ଛାଡିଦେଲେ ଉଭୟ ଇନ୍ ଡୋର ଓ ଆଉଟ ଡୋରରେ ସେବା ବନ୍ଦ ରହିଥିଲା।