ଲୋକସଭା ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ
୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଭୋଟ୍ ଗଣତି ଆସନ୍ତା ୧୩ ତାରିଖରେ ହେବ। ୨୦୨୪ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ। ଅନେକ ବରିଷ୍ଠ ଏବଂ ନବାଗତଙ୍କର ଏହି ଉପନିର୍ବାଚନ ଭାଗ୍ୟଫଳ ନିର୍ଦ୍ଧାରଣ କରିବ। ଏଥିସହ ଲୋକସଭା ନିର୍ବାଚନ ପରେ ଏହା ଶାସକ ଏନ୍ଡିଏ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ପ୍ରଥମ ଲଢ଼େଇ। ବିହାରର ରୁପୌଲି, ପଶ୍ଚିମବଙ୍ଗର ରାୟଗଞ୍ଜ, ରାଣାଘାଟ ଦକ୍ଷିଣ, ବାଗଦାହ ଏବଂ ମାଣିକତାଲା, ତାମିଲନାଡ଼ୁର ବିକ୍ରବଣ୍ଡି, ମଧ୍ୟପ୍ରଦେଶର ଅମରୱାଡ଼ା, ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମଙ୍ଗଲୌର, ପଂଜାବର ଜଲନ୍ଧର ପଶ୍ଚିମ ଏବଂ ହିମାଚଳପ୍ରଦେଶରେ ଦେହରା, ହମିରପୁର ଏବଂ ନାଲାଗଡ଼ରେ ଆଜି ମତଦାନ ଶେଷ ହୋଇଛି। ଆଜି ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡରେ ମତଦାନ ସମୟରେ ହିଂସା ଉପୁଜିଥିଲା।