କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ
ପୁରୁଷ ଟି-୨୦ ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭେଟାଭେଟି ହେବାକୁ ଯାଉଥିବାବେଳେ ତାହାର ଦିନକ ପୂର୍ବରୁ ଏକ ବିଶ୍ବ ରେକର୍ଡ କରିଛି ଭାରତୀୟ ମହିଳା ଦଳ । ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ଏହି ରେକର୍ଡ କରିଛି ଭାରତ । ଗୋଟିଏ ଦିନରେ ହିଁ ୫୨୫ ରନ କରିଦେଇଛି ଦଳ । ଶେଫାଲି ବର୍ମା ଦ୍ୱିଶତକ ଏବଂ ଫର୍ମରେ ଥିବା ସ୍ମୃତି ମନ୍ଧାନା ୧୪୯ ରନ୍ କରି ଭାରତକୁ ମହିଳା ଟେଷ୍ଟ କ୍ରିକେଟ୍ ଇତିହାସରେ ଅନେକ ରେକର୍ଡ ଭାଙ୍ଗିବାରେ ସହାୟକ ହୋଇଛନ୍ତି ।୨୨ ବର୍ଷ ର ବ୍ୟବଧାନ ପରେ ଭାରତ ନିଜର ସର୍ବୋଚ୍ଚ ଟେଷ୍ଟ ଇନିଂସ ସ୍କୋର ରେକର୍ଡ କରିଛି । ୨୦୦୨ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଇନିଂସରେ ଭାରତୀୟ ମହିଳା ଦଳ ୪୬୭ ରନ୍ କରିଥିଲା, ଯାହା ଯୁଗ୍ମ ତୃତୀୟ ସର୍ବୋଚ୍ଚ ସ୍କୋର ଥିଲା। ଚଳିତ ମ୍ୟାଚରେ ଭାରତ ପାଖରେ ୬ଟି ୱିକେଟ୍ ବାକି ଥିବା ବେଳେ ଶନିବାର ଦ୍ବିତୀୟ ଦିନରେ ଭାରତ ଅଷ୍ଟ୍ରେଲିଆର ସର୍ବକାଳୀନ ୫୭୫ ରନ୍ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି। ଶେଫାଲି ବର୍ମା ୧୯୭ ବଲରୁ ୨୦୫ ରନ୍ କରି ମହିଳା ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ବିଶ୍ୱର ଦ୍ୱିତୀୟ ଭାରତୀୟ ଏବଂ ଦଶମ କ୍ରିକେଟର ହୋଇଛନ୍ତି ।