ନିଟ୍ ରେଜଲ୍ଟ ବିବାଦ – କାଉନସେଲିଂ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ

ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ନିଟ୍-ୟୁଜି ୨୦୨୪ ପରୀକ୍ଷା ବାତିଲ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି । ଆମକୁ ଏହାର ଜବାବ ଲୋଡ଼ା। ଏହାସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ଜବାବ ମାଗିଛନ୍ତି। ତେବେ ନିଟ୍ ୟୁଜି ୨୦୨୪ ପାଇଁ ଆରମ୍ଭ ହୋଇଥିବା କାଉନସେଲିଂ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖକୁ ଧାର୍ଯ୍ୟ କରି ଖଣ୍ଡପୀଠ କହିଛନ୍ତି ଯେ ଯଦି ଜବାବ ଦାଖଲ ପାଇଁ ଅଧିକ ସମୟ ଦରକାର ହୁଏ, ତେବେ କୋର୍ଟ କାଉନସେଲିଂ ବନ୍ଦ କରିଦେବେ। ଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍ ଉପରେ ଆଇନଜୀବୀ ଜେ ସାଇ ଦୀପକ କହିଛନ୍ତି, ସୁପ୍ରିମ୍‌କୋର୍ଟରେ ଏକାଧିକ ପିଟିସନ୍ ତାଲିକାଭୁକ୍ତ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଆଧାରରେ ଫଳାଫଳ ଘୋଷଣା ପୂର୍ବରୁ କିଛି ପିଟିସନ ଦାଖଲ କରାଯାଇଥିଲା। ଏହି ଆବେଦନଗୁଡ଼ିକ ଉପରେ ନୋଟିସ୍ ଜାରି କରାଯାଇଛି। ଜେ ସାଇ ଦୀପକ କହିଛନ୍ତି ଯେ ସେ କୋଚିଂ ସଂସ୍ଥା ‘ଫିଜିକ୍ସ ୱାଲା’ର ସିଇଓ ଅଲଖ ପାଣ୍ଡେଙ୍କ ଦ୍ୱାରା ଆବେଦନ କରାଯାଇଥିବା ଅନ୍ୟ ଏକ ପିଟିସନର ପ୍ରତିନିଧିତ୍ୱ କରିବେ। ସେ କହିଛନ୍ତି, ଆମର ଆବେଦନ ଟିକେ ଭିନ୍ନ। ଅଲଖ ପାଣ୍ଡେ ପ୍ରାୟ ୨୦,୦୦୦ ଛାତ୍ରଛାତ୍ରୀଙ୍କଠାରୁ ଦସ୍ତଖତ ସଂଗ୍ରହ କରିଛନ୍ତି, ଯାହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଅତି କମ୍‌ରେ ୧୫୦୦ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କରେ ପ୍ରାୟ ୭୦ରୁ ୮୦ ମାର୍କ ପ୍ରଦାନ କରାଯାଇଛି।